ନୂଆଦିଲ୍ଲୀ: ‘‘1999 ମସିହାରେ ହୋଇଥିବା ବହୁଚର୍ଚ୍ଚିତ କାନ୍ଧାହାର ବିମାନ ଅପରହଣକୁ ରୋକାଯାଇ ପାରିଥାନ୍ତା । ଯଦି ବିମାନ ବନ୍ଦରରେ ବର୍ତ୍ତମାନ ପରି ସୁରକ୍ଷା ବ୍ୟବସ୍ଥା ବିକଶିତ ଥାଆନ୍ତା ।’’ ଏପରି କିଛି ମନ୍ତବ୍ୟ ସହ ସେଦିନର ଘଟଣାକୁ ମନେ ପକାଇଛନ୍ତି ଅପହରଣର ଶିକାର ହୋଇଥିବା ଇଣ୍ଡିଆନ ଏୟାରଲାଇନ୍ସ ବିମାନ IC-814ର କ୍ୟାପଟେନ ଦେବୀ ଶରଣ । ଦେବୀ କହିଛନ୍ତି, ଏହି ଅପହରଣ ଘଟଣା ପରେ ଦେଶର ଉଡାଣ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଗତ 24 ବର୍ଷ ମଧ୍ୟରେ ଉଡାଣ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଓ ପ୍ରଭାବୀ କରାଯାଇଛି । ବର୍ତ୍ତମାନ ପରି ସୁରକ୍ଷା ବ୍ୟବସ୍ଥା ଥିଲେ ଏପରି କାଣ୍ଡ ଘଟିନଥାନ୍ତା ।
ସେହି ଘଟଣାକୁ ମନେ ପକାଇ କ୍ୟାପଟେନ ଶରଣ କହିଛନ୍ତି, ସେତେବେଳେ ବିମାନ ବନ୍ଦରର ସୁରକ୍ଷା ସଧାରଣ ପୋଲିସ ବିଭାଗ ଉପରେ ନ୍ୟସ୍ତ ଥିଲା । ଘଟଣା ପରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଗଠନ କରାଯାଇ ବିମାନ ବନ୍ଦରର ସାମଗ୍ରିକ ସୁରକ୍ଷା ବ୍ୟାପାର ନ୍ୟସ୍ତ କରାଗଲା । ଗତ 24 ବର୍ଷ ମଧ୍ୟରେ ଭାରତୀୟ ଉଡାଣ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ସୁବ୍ଯବସ୍ଥିତ ହୋଇଛି । ଯଦି ବର୍ତ୍ତମାନ ପରି ASF (ବିମାନ ବନ୍ଦର ସୁରକ୍ଷା ବଳ) କାର୍ଯ୍ୟରତ ଥାଆନ୍ତା, ତେବେ ସେହି ଘଟଣାକୁ ରୋକାଯାଇ ପାରିଥାନ୍ତା ।
ନୂଆଦିଲ୍ଲୀ ସ୍ଥିତ ବେସାମରିକ ଉଡାଣ ସୁରକ୍ଷା ବ୍ୟୁରୋ (BCAS) ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ପୂର୍ବତନ ପାଇଲଟ ଦେବୀ ଶରଣ କହିଛନ୍ତି, ବିମାନଟି କାଠମାଣ୍ଡୁରୁ ନୂଆଦିଲ୍ଲୀ ଆସୁଥିଲା । ଏହାକୁ ଅପହରଣ କରିବା ପରେ ପ୍ରଥମେ ଅମୃତସରରେ ଅବତରଣ କରାଯାଇଥିଲା । ଏହି ସମୟରେ ଅମୃତସର ବିମାନ ବନ୍ଦରର ସୁରକ୍ଷା ଦାୟିତ୍ବ ପଞ୍ଜାବ ପୋଲିସ ଉପରେ ନ୍ୟସ୍ତ ଥିଲା । ଯଦି ସେତେବେଳେ ଅଧିକ ପ୍ରଭାବଶାଳୀ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବିମାନ ବନ୍ଦର ସୁରକ୍ଷା ବଳ (ASF) ଥାନ୍ତା ତେବେ ଏପରି ହୋଇନଥାନ୍ତା ।