ଓଡିଶା

odisha

Kerala Blast: ସୋସିଆଲ ମିଡିଆରେ ନିଜକୁ ଦାୟୀ କରିବା ପରେ ଅଭିଯୁକ୍ତର ଆତ୍ମସମର୍ପଣ

By ETV Bharat Odisha Team

Published : Oct 29, 2023, 6:05 PM IST

କେରଳ ବିସ୍ଫୋରଣ ପାଇଁ ନିଜକୁ ସୋସିଆଲ ମିଡିଆରେ ଦାୟୀ କରିବା ପରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । ଜେରା ଜାରି ରଖିଛି ପୋଲିସ । ସଂଧ୍ୟାରେ ଦିଲ୍ଲୀରୁ ପହଞ୍ଚିବ NIA ଓ NSG ଟିମ୍‌ । ସର୍ବଦଳୀୟ ବୈଠକ ଡାକିଲେ ବିଜୟନ । ଅଧିକ ପଢନ୍ତୁ

Kalamassery Blast : ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିବା ପରେ କଲା ଆତ୍ମସମର୍ପଣ
Kalamassery Blast : ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିବା ପରେ କଲା ଆତ୍ମସମର୍ପଣ

ଥିରୁଅନନ୍ତପୁରମ:ଆଜି ପୂର୍ବାହ୍ନରେ କେରଳର ଏର୍ଣ୍ଣାକୁଲମର କାଲାମାସେରିରେ ଏକ ଧାର୍ମିକ ସ୍ଥଳୀରେ ହୋଇଥିବା ସିରିଜ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଜଣେ ବ୍ୟକ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଏହି ସିରିଜ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିବାର କିଛି ସମୟ ମଧ୍ୟରେ ପୋଲିସ ନିକଟରେ ସେ ଆତ୍ମସମର୍ପଣ ମଧ୍ୟ କରିଛି । ଏହି ଆତ୍ମଘୋଷିତ ଅଭିଯୁକ୍ତ ନିଜକୁ ଡୋମିନିକ୍ ମାର୍ଟିନ ବୋଲି ପରିଚୟ ଦେବା ସହ ଥ୍ରୀସୁର ଜିଲ୍ଲାର ଏକ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ସେ ଯିହୋବା ଓ୍ବିଟନେସ ଗୋଷ୍ଠୀ (Jehovah's Witnesses)ର ସଦସ୍ୟ ବୋଲି ମଧ୍ୟ ନିଜେ ପରିଚୟ ଦେଇଛି । ଏହି ଗୋଷ୍ଠୀ ହିଁ କନଭେନସନ ସେଣ୍ଟରରେ ପ୍ରାର୍ଥନା ସଭା ଆୟୋଜନ କରିଥିଲା ।

ଆତ୍ମସମର୍ପଣ କରିବା ପୂର୍ବରୁ 44 ବର୍ଷୀୟ ଡୋମିନିକ୍ ମାର୍ଟିନ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲା । ଯେଉଁଥିରେ ସେ ଏହି ଆକ୍ରମଣକୁ ଯଥାର୍ଥ ବୋଲି ଦର୍ଶାଇଥିଲା । ଉଭୟ ସ୍ଥାନୀୟ ମାଲାୟାଲମ୍ ଓ ହିନ୍ଦୀ ଭାଷାରେ ସେ ଏହି ଭିଡିଓ ଜାରି କରି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ତାର ମାତ୍ର କିଛି ସମୟ ମଧ୍ୟରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ପୋଲିସ ତାକୁ କୌଣସି ଅଜ୍ଞାତ ସ୍ଥାନକୁ କଡା ସୁରକ୍ଷା ମଧ୍ୟରେ ନେଇ ଜେରା କରୁଛି ।

କେରଳ ଏଡିଜିପି (ଆଇନ ଶୃଙ୍ଖଳା) ଏମ.ଆର ଅଜିତ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ 50ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ମଧ୍ୟ ରହିଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି । ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ଆତ୍ମସମର୍ପଣ କରିଥିବା ଅଭିଯୁକ୍ତ ସମ୍ପର୍କରେ ତଦନ୍ତ କରାଯାଉଛି । ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଏହା ଏକ ଆଇଇଡି ବିସ୍ଫୋରଣ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- କେରଳରେ ସିରିଜ ବ୍ଲାଷ୍ଟ, ହମାସ- ଇସ୍ରାଏଲ ଯୁଦ୍ଧ ଲିଙ୍କ୍‌ !

ଅନ୍ୟପଟେ ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଇସ୍ରାଏଲ ହମାସ ଯୁଦ୍ଧ ସହ ଏହି ଆକ୍ରମଣର ସଂଯୋଗ ରହିଥିବା ସନ୍ଦେହ ହେବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଓ ଏନଏସଜି ଟିମ ଦିଲ୍ଲୀରୁ କୋଚି ଅଭିମୁଖେ ବାହାରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । ବିଜୟନ ଏହାକୁ ଦୁର୍ଭାଗ୍ୟଜନକ କହିବା ସହ ଆସନ୍ତାକାଲି ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details