ଥିରୁଅନନ୍ତପୁରମ:ସ୍ତ୍ରୀ ଠାରୁ ଛାଡପତ୍ର ଚାହୁଁଥିଲେ ସ୍ବାମୀ । ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ହେଲେ କୋର୍ଟରେ ମାମଲାର ଶୁଣାଣି ବିଳମ୍ବ ହେବାରୁ ଉତ୍ୟକ୍ତ ହୋଇ ବିଚାରପତିଙ୍କ ଗାଡିକୁ ବାଡେଇ ଚୁରମାର୍ କରିଦେଲେ ସ୍ବାମୀ । କେରଳର ପଠାନମିଥିଟା ଥିରୁଭାଲା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ଏଭଳି ଉନ୍ମତ୍ତ କାଣ୍ଡ ସାମ୍ନାକୁ ଆସିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ଥିରୁଭାଲା ଫ୍ୟାମିଲ କୋର୍ଟ ପରିସରରେ ବିଚାରପତିଙ୍କ କାରକୁ ଭାଙ୍ଗି ଦେଇଛନ୍ତି । ପୁରା ଘଟଣା ସିସିଟିଭିରେ କଏଦୀ ହୋଇଛି ।
ସୂଚନା ମୁତାବକ, ଗତକାଲି(ବୁଧବାର) ଅପରାହ୍ନ ୪ଟା ସମୟର ଏହି ଘଟଣା । ଶିବାଗିରି ନଗର ମାଙ୍ଗଲପୁରମ ନିବାସୀ ୫୩ ବର୍ଷୀୟ ଜୟପ୍ରକାଶ ଓ ତାଙ୍କ ପତ୍ନୀ ବିବାହ ବିଚ୍ଛେଦ ପାଇଁ ଥିରୁଭାଲା ଫ୍ୟାମିଲ କୋର୍ଟରେ ଆବେଦନ କରିଥିଲେ । ମାମଲାର ଶୁଣାଣି ସମୟ ପାଇଁ ଜୟପ୍ରକାଶ ବାରମ୍ବାର ମାଙ୍ଗାଲୁରୁରେ ତିରୁବାଲ୍ଲା ଆସୁଥିଲେ । ହେଲେ ଅଦଲାତ ଥରକୁ ଥର ମାମଲାର ଶୁଣାଣି ଅନ୍ୟ ଦିନକୁ ସ୍ଥଗିତ ରଖୁଥିଲେ । ଫଳରେ ଦୀର୍ଘ ଦିନ ଧରି କୋର୍ଟରେ ତାଙ୍କର ବିବାହ ବିଚ୍ଛେଦ ମାମଲା ପଡ଼ି ରହିଥିଲା । ବିଚାରପତି ଚୂଡାନ୍ତ ରାୟ ପ୍ରକାଶ କରୁନଥିବାରୁ ଏଥିରେ ରାଗି ଯାଇଥିଲେ ଜୟପ୍ରକାଶ ।