ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଆସି ସାରିଛି । ଶାସକ ତୃଣମୂଳ କଂଗ୍ରେସ ପୁଣିଥରେ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି । କ୍ଷମତା ଦଖଲ ସ୍ବପ୍ନ ଦେଖୁଥିବା ବିଜେପି 77 ଟି ଆସନରେ ଅଟକି ଯାଇଛି । ତେବେ ନିର୍ବାଚନ ପୂର୍ବରୁ ହିଂସା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଏବେ ବିଜେପି କର୍ମୀଙ୍କୁ ଶାସକ ଟିଏମସି ଆକ୍ରମଣ କରୁଥିବା ଅଭିଯୋଗ କରିଛି ବିଜେପି ।
ଟିଏମସିର ବିଜୟ ପରେ ଦଳର କର୍ମୀ ଏବେ ହିଂସାରେ ମାତିଛନ୍ତି । ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ହତ୍ୟା, ଦୁଷ୍କର୍ମ ଓ ନିଆଁ ଲଗାଇ ଦେବାଭଳି ସଂଗୀନ ଅଭିଯୋଗ ଆସୁଛି । ବିଜେପି ତଥ୍ୟ ଅନୁସାରେ ଆରାମବାଗ ସ୍ଥିତି ବିଜେପି କାର୍ଯ୍ୟାଳୟକୁ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । କୁଚବିହାର, କୋଲକାତାରେ ମଧ୍ୟ ବ୍ୟାପକ ହିଂସା ହୋଇଛି । ହିଂସା ପାଇଁ ବିଜେପି ଟିଏମିକୁ ଦାୟୀ କରିଥିବା ବେଳେ ଦଳର 9 ଜଣ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ହୋଇଥିବା ଅଭିଯୋଗ କରିଛି ।
ଏଭଳି ହିଂସାତ୍ମକ ସ୍ଥିତିରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା 2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି । ସେହିପରି ଆସନ୍ତାକାଲି ବିଜେପି ଟିଏମସିର ହିଂସା ବିରୋଧରେ ସାରା ଦେଶବ୍ୟାପୀ କୋଭିଡ କଟକଣା ସହ ଧାରଣା ଦେବାକୁ ଘୋଷଣା କରିଛି ଦଳ ।