ନୂଆଦିଲ୍ଲୀ:ଟିଭି ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ ଆଜି(ଶନିବାର) ଆସିବ ଗୁରୁତ୍ବପୂର୍ଣ୍ଣ ରାୟ । ଶୁକ୍ରବାର ଦିନ ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ରାୟ ସଂରକ୍ଷିତ ରଖିଥିଲେ ଦିଲ୍ଲୀ ସାକେତ କୋର୍ଟ । ଆଜି ଅପରାହ୍ନ ସମୟରେ କୋର୍ଟ ଦୋଷୀମାନଙ୍କୁ ସଜ୍ଜା ଶୁଣାଇବେ ।
ଶୁକ୍ରବାର ଦିନ ଆଡିସନାଲ ସେସନ ଜଜ୍(ଏଏସଜେ) ରବୀନ୍ଦ୍ର କୁମାର ପାଣ୍ଡେ ଏହି ମାମଲାରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ । ଏହାପୂର୍ବରୁ ନଭେମ୍ବର 7ରେ ଏହି ମାମଲାର ଶୁଣାଣି ସ୍ଥଗିତ ରଖିଥିଲେ କୋର୍ଟ । ଅଭିଯୁକ୍ତମାନଙ୍କ ଭେରିଫିକେସନ ଆଫିଡେଭିଟ୍ ସମ୍ପୂର୍ଣ୍ଣ ହୋଇନଥିବା କାରଣରୁ ଶୁଣାଣି ସ୍ଥଗିତ ରଖିଥିଲେ ।
ଏହି ହତ୍ୟା ମାମଲାରେ ଅକ୍ଟୋବର 18ରେ ଜଜ୍ 4 ଜଣ ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା, ବଲଜିତ ମଲ୍ଲିକ ଓ ଅଜୟ କୁମାରକୁ ଭାରତୀୟ ପିଙ୍ଗଳ କୋଡ ଧାରା 302(ହତ୍ୟା) ଓ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜ୍ଡ କ୍ରାଇମ ଆକ୍ଟ(MCOCA) ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ । ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀକୁ ଭାରତୀୟ ପିଙ୍ଗଳ କୋଡ ଧାରା 411( ଚୋରି ସାମଗ୍ରୀ ଜାଣି ମଧ୍ୟ ବେଇମାନି ଭାବେ ପ୍ରାପ୍ତ କରିବା ବା ନିଜ ପାଖରେ ରଖିବା) ଓ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜ୍ଡ କ୍ରାଇମ ଆକ୍ଟ(MCOCA) ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ ।