ଓଡିଶା

odisha

ETV Bharat / bharat

Joshimath land subsidence: ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ଗଠନ କଲା କେନ୍ଦ୍ର - ଯୋଶୀମଠ ମାଟି ଦବିବା ଘଟଣା

ଯୋଶୀମଠରେ ମାଟି ଦବିବା ଘଟଣାର ଅନୁଧ୍ୟାନ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ (Centre constitutes team of experts)। ରହିଛନ୍ତି ବିଭିନ୍ନ ସର୍ବଭାରତୀୟ ଅନୁଷ୍ଠାନର ବିଶେଷଜ୍ଞ । ଆଜି ଅପରାହ୍ନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ଗଠନ କଲା କେନ୍ଦ୍ର
ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ଗଠନ କଲା କେନ୍ଦ୍ର

By

Published : Jan 8, 2023, 9:02 PM IST

ହାଇଦ୍ରାବାଦ:ଉତ୍ତରାଖଣ୍ଡ ଯୋଶୀମଠ ସହର ଦବିବା ଘଟଣାରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ଘଟନ କରିଛନ୍ତି । ପ୍ରାୟ 7ଟି ସର୍ବଭାରତୀୟ ଅନୁଷ୍ଠାନ ଓ ସଂସ୍ଥାରୁ ବିଶେଷଜ୍ଞଙ୍କୁ ଏହି ଟିମରେ ସଦସ୍ୟ ଭାବେ ମନୋନୀତ କରାଯାଇଛି (Centre constitutes team of experts)। ଏହି ଟିମ ଯୋଶୀମଠ ଗସ୍ତ କରି ଏପରି ଭୌଗଳିକ ବିପର୍ଯ୍ୟୟର କାରଣ ଖୋଜିବା ସହ ଅନୁଧ୍ୟାନ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା । ସେହିପରି ବୈଠକ ପରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଭାବିତ ହୋଇଥିବା ଲୋକଙ୍କୁ ସୁରକ୍ଷିତ ଥଇଥାନ କରିବା ଦିଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକର ମାତ୍ର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍‌ ଗଠନ କରିଛନ୍ତି । ଏଥିରେ ବିଭିନ୍ନ ବିଭାଗର ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଚୟନ କରାଯାଇଛି । ଏଥିରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA), ଜାତୀୟ ବିପର୍ଯ୍ୟୟ ପରିଚାଳନା ଇନଷ୍ଟିଚ୍ୟୁଟ୍, ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ, IIT ରାଉରକେଲା, ହିମାଳୟ ଭୂବିଜ୍ଞାନ ଇନଷ୍ଟିଚ୍ୟୁଟ୍, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇଡ୍ରୋଲୋଜି ଏବଂ ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବରିଷ୍ଠ ବିଶେଷଜ୍ଞମାନଙ୍କୁ ସ୍ଥାନ ମିଳିଛି । ଏହି ଟିମ୍‌ର ସଦସ୍ୟମାନେ ଯୋଶୀମଠ ଯାଇ ପ୍ରତ୍ୟେକ୍ଷ ଅନୁଧ୍ୟାନ କରିବେ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ (Centre constitutes team of experts)।

ଆଜି(ରବିବାର) ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିବା ବେଳେ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ସମେତ କ୍ୟାବିନେଟ ସଚିବ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଯୋଶୀମଠ ଜିଲ୍ଲା ଅଧିକାରୀ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଭିଡିଓ କନଫରେନ୍ସିଂରେ ବୈଠକରେ ଉପସ୍ଥିତ ରହିଥିଲେ । ବର୍ତ୍ତମାନର ଅବସ୍ଥା ଓ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ହିମାଳୟ ପର୍ବତର ପାଦ ଦେଶରେ ଥିବା ଉତ୍ତରାଖଣ୍ଡର ଯୋଶୀମଠ ସହରରେ ହଠାତ ଭୌଗଳିକ ପରିବର୍ତ୍ତନ ହେବାରେ ଲାଗିଛି । ଭୂପୃଷ୍ଠ ଦବି ଯାଉଥିବା କାରଣରୁ ଘରଗୁଡିକରେ ଫାଟ ସୃଷ୍ଟି ହେବାରେ ଲାଗିଛି । କିଛି ଘର ସମ୍ପୂର୍ଣ୍ଣ ଭାଙ୍ଗିବା ପରିସ୍ଥିତିକୁ ଆସିବା କାରଣରୁ ଲୋକେ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି । ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ଏବେ ସୁଦ୍ଧା ପ୍ରାୟ 600ରୁ ଅଧିକ ଘରେ ଫାଟ ସୃଷ୍ଟି ହୋଇଛି । କେବଳ ଘର ନୁହେଁ ବରଂ ରାସ୍ତାଘାଟରେ ମଧ୍ୟ ଫାଟ ସୃଷ୍ଟି ହେବା କାରଣରୁ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି । ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେବା ସହ ଏହାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନପାରିବା ଯୋଶୀମଠର ଅସ୍ତିତ୍ବ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details