ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଉପସ୍ଥାପିତ ହେବ ବର୍ଷ ୨୦୨୨-୨୩ ପାଇଁ ବଜେଟ । କଣ ରହିବ ବଜେଟ ସେ ନେଇ ଆକଳନ ଚାଲିଛି । କର୍ମନିଯୁକ୍ତି, ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇ ବଜେଟ ଉପସ୍ଥାପନ ହୋଇପାରେ ବୋଲି ଅନେକ ଆଶାବାଦୀ ଅଛନ୍ତି । ବିଶେଷ କରି କର୍ମ ନିଯୁକ୍ତି ଉପରେ ଅଧିକ ଫୋକସ ରହିବ । ଯଦି ଆଗକୁ ସବୁ କିଛି ଭଲ ଚାଲେ କୋରୋନା ପାଇଁ ଯଦି ଆଉ ଅସୁବିଧା ଭୋଗିବାକୁ ନ ପଡେ ତେବେ ଆଗାମୀ ୬ରୁ ୭ ମାସ ମଧ୍ୟରେ ଚାକିରି ହରାଇଥିବା ସମସ୍ତଙ୍କ ପୁନଃଉଦ୍ଧାର ହେବ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସନୟାଲ ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୀବ ସନୟାଲ କହିଛନ୍ତି ‘ମାର୍କ ଦେବା କଷ୍ଟକର । ବର୍ତ୍ତମାନ ମୁଁ କିଛି ଅନୁମାନ କରି ପାରିବି ନାହିଁ ହେଲେ ମୋର ବ୍ୟକ୍ତିଗତ ଦକ୍ଷତା ଅନୁସାରେ ମୁଁ କହିପାରିବି ଯେ ଯଦି କ୍ରମାଗତ ଭାବେ ଅର୍ଥନୀତି ଅଭିବୃଦ୍ଧି ହୁଏ ତେବେ ଆଗାମୀ ୬ ରୁ ୭ ମାସ ମଧ୍ୟରେ ମହମାରୀରେ ଚାକିରି ହରାଇଥିବା ସମସ୍ତଙ୍କ ପୁନଃଉଦ୍ଧାର ହେବ’ ବୋଲି କହିଛନ୍ତି ଅର୍ଥନୀତି ପରାମର୍ଶଦାତା ।