ଡେରାଡୁନ: ହରିଦ୍ୱାରରେ ଆୟୋଜିତ ବହୁଚର୍ଚ୍ଚିତ ଧର୍ମ ସଂସଦ (ଧାର୍ମିକ ସମାବେଶ)ରେ ହେଟସ୍ପିଚ (ଘୃଣା ସୃଷ୍ଟିକାରୀ ଭାଷଣ) ମାମଲାରେ ଗିରଫଦାରୀ । ଆଜି (ଗୁରୁବାର) ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗୀ (ୱାସିମ ରିଜଭି)ଙ୍କୁ ଗିରଫ କରିଛି ଉତ୍ତରାଖଣ୍ଡ ପୋଲିସ । ତାଙ୍କୁ ଗିରଫ ପରେ ହରିଦ୍ୱାରର ଜୱାଲାପୁର ପୋଲିସ ଷ୍ଟେସନକୁ ନିଆଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ଖବର ସରବରାହ ସଂସ୍ଥା ANIକୁ ସୂଚନା ପ୍ରଦାନ କରାଯାଇଛି ।
ହରିଦ୍ୱାରରେ 17 ତାରିଖରୁ 19 ଡିସେମ୍ବର ମଧ୍ୟରେ ଅନୁଷ୍ଠିତ 'ଧର୍ମ ସଂସଦ' (ଧାର୍ମିକ ସମାବେଶ) ସମୟରେ ଉତ୍ତେଜନାମୂଳକ ଭାଷଣ ଦେବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହିଂସା ତଥା ଘୃଣା ସୃଷ୍ଟିକାରୀ ଭାଷଣ ଦେଇଥିବା ଅଭିଯୋଗରେ ଜିତେନ୍ଦ୍ର ନାରାୟଣ ତ୍ୟାଗୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଉତ୍ତରାଖଣ୍ଡ ପୋଲିସ ।
ସାମ୍ବାଦିକ କୁରବାନ୍ ଅଲ୍ଲୀ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୁପ୍ରିମ କୋର୍ଟରେ ପିଟିସନ ଦାୟର କରିଥିଲେ । ତେବେ ଘଟଣାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ଘଟଣାର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ କୋର୍ଟ ।