ଅମରାବତୀ: ଜାତୀୟ ପତାକାର ୩ ରଙ୍ଗରେ ରଙ୍ଗୀନ ହେଲା ଜିନ୍ନା ଟାୱାର(Jinnah Tower) । ବହୁ ବିବାଦ ପରେ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ସ୍ଥିତ ଜିନ୍ନା ଟାୱାରକୁ ଜାତୀୟ ପତାକାର ୩ ରଙ୍ଗରେ ରଙ୍ଗୀନ କରାଯାଇଛି । ଏଥିସହ ଟାୱାର ନିକଟରେ ତ୍ରିରଙ୍ଗା ସ୍ଥାପନ କରିବାକୁ ଯୋଜନା ଚାଲିଛି ।
ବିଭିନ୍ନ ସଂଗଠନର ଅନୁରୋଧ କ୍ରମେ ଜିନ୍ନା ଟାୱାରକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଗୁଣ୍ଟୁର ଇଷ୍ଟ ବିଧାୟକ ମହମ୍ମଦ ମୁସ୍ତାଫା କହିଛନ୍ତି । ମୁସ୍ତାଫା କହିଛନ୍ତି ଯେ, ଜିନ୍ନା ଟାୱାର ନିକଟରେ ଜାତୀୟ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି ସରିଛି । ଆସନ୍ତାକାଲି(ଗୁରୁବାର) ଠାରୁ ଏଠାରେ ତ୍ରିରଙ୍ଗା ଉଡିବ । ଗୁଣ୍ଟୁର ମ୍ୟୁନିସିପାଲ କର୍ପୋରେସନ ମେୟର କବିତା ମନୋହର ନାଇଡୁଙ୍କ ସହ ଆଜି(ବୁଧବାର) ମୁସ୍ତାଫା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
ଏହି ଅବସରରେ ମୁସ୍ତାଫା କହିଛନ୍ତି ଯେ, ସ୍ବାଧୀନତା ପାଇଁ ବରିଷ୍ଠ ମୁସଲମାନ ନେତାମାନେ ବ୍ରିଟିଶ ସରକାରଙ୍କ ସହ ଲଢିଥିଲେ । ସ୍ବାଧୀନତା ପ୍ରାପ୍ତ ପରେ କେତେକ ପାକିସ୍ତାନ ଚାଲି ଯାଇଥିଲେ ମଧ୍ୟ ଅନ୍ୟମାନେ ହିନ୍ଦୁସ୍ତାନରେ ଅଛନ୍ତି । ତେଣୁ ଆମେ ଚାହୁଁଛୁ ସର୍ବାଦା ଭାରତୀୟ ହୋଇରହିବୁ ଏବଂ ଭାରତ ମା'ର ସେବା କରିବୁ ।