ରାଞ୍ଚି:ଝାଡଖଣ୍ଡରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା (Jharkhand political crisis) ମଧ୍ୟରେ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି ରାଜ୍ୟରେ ଶାସନରେ ଥିବା ୟୁପିଏ ମେଣ୍ଟର ପ୍ରତିନିଧୀ ଦଳ । ଆଜି (ଗୁରୁବାର) ଅପରାହ୍ନରେ 11 ଜଣିଆ ୟୁପିଏ ପ୍ରତିନିଧୀ ରାଜ୍ୟପାଳ ରମେଶ ବାଇସ (Governor Ramesh Bais)ଙ୍କୁ ଭେଟି ବର୍ତ୍ତମାନ ରାଜ୍ୟରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ସମ୍ପର୍କରେ ଅବଗତ କରିବା ସହ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରଥିବା ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟପାଳ ମଧ୍ୟ ସେମାନଙ୍କ ଦାବି ଶୁଣିବା ସହ ସମସ୍ୟାର ସମାଧାନ ହେବା ନେଇ ରାଜ୍ୟପାଳ ଆଶ୍ୱାସନା ମଧ୍ୟ ଦେଇଥିବା ସୂଚନା ଦେଇଛି ଏହି ଟିମ ।
ଆଜି ସକାଳେ ୟୁପିଏ ଟିମ ରାଜ୍ୟପାଳଙ୍କ ସହ ସାକ୍ଷାତ କରିବା ପାଇଁ ରାଜଭବନ କର୍ତ୍ତୃପକ୍ଷଙ୍କ ଠାରୁ ସମୟ ମାଗିଥିଲେ । ଅପରାହ୍ନ ପ୍ରାୟ 4 ଟାରେ ରାଜ୍ୟପାଳ ସେମାନଙ୍କ ସହ ଆଲୋଚନା କରିବା ନେଇ ସମୟ ଦେବାକୁ ସହମତି ଦେବା ପରେ ଏହି ଟିମ ରାଜଭବନ ଅଭିମୁଖେ ଯାତ୍ରା କରିଥିଲା । ଏଥିରେ ପ୍ରାୟ 11 ଜଣ ସଦସ୍ୟ ରହିଥିଲେ । ଏମାନେ ରାଜ୍ୟପାଳଙ୍କ ସହ ଆଲୋଚନା କରି ବର୍ତ୍ତମାନ ରାଜ୍ୟରେ ଜାରି ରହିଥିବା ସଙ୍କଟ ସମ୍ପର୍କରେ ଅବଗତ କରିଥିଲେ ।