ରାଞ୍ଚି:ଉତ୍ତରକାଶୀରେ ଟନେଲ ଭୁଶୁଡିବାର 17 ଦିନ ପରେ ଉଦ୍ଧାର ହୋଇଛନ୍ତି 41 ଶ୍ରମିକ । ଏହାକୁ ନେଇ ପୁରା ଦେଶବାସୀ ଖୁସୀ ମନାଉଛନ୍ତି । କିନ୍ତୁ ଏହି ଖୁସୀ ଖବର ପାଇବା ପୂର୍ବରୁ ପୁଅକୁ ଝୁରି ଝୁରି ଚାଲିଯାଇଛି ବାପାର ଜୀବନ । ପୁଅ ଉଦ୍ଧାର ହୋଇଥିବା ଖବର ଶୁଣିବା ପୂର୍ବରୁ ବାପାର ପ୍ରାଣ ବାୟୁ ଉଡିଯାଇଛି । ଏଭଳି ଘଟଣା ଘଟିଛି ଝାଡଖଣ୍ଡରେ । ସିଂହଭୂମ ଜିଲ୍ଲାର ବାହଦା ଗ୍ରାମର ଭକ୍ତ ମୁର୍ମୁ ସୁଡଙ୍କ ମଧ୍ୟରେ ଫସିରହିଥିଲେ । ମଙ୍ଗଳବାର ସନ୍ଧ୍ୟା ସମୟରେ ତାଙ୍କୁ ଟନେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଏହା ପୂର୍ବରୁ ସେହିଦିନ ସକାଳ ସମୟରେ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବାପାର ଜୀବନ ଯାଇଛି । ମୃତକ ଜଣଙ୍କ ହେଉଛନ୍ତି 70 ବର୍ଷୀୟ ବାରସା ମୁର୍ମୁ ।
ନଭେମ୍ବର 12 ତାରିଖରେ ଉତ୍ତରକାଶୀରେ ଟନେଲର ଭୁଶୁଡ଼ିବା ଖବର ଆସିଥିଲା । ଏହି ଦୁର୍ଘଟଣାରେ ଭକ୍ତ ମୁର୍ମୁ ଟନେଲରେ ଫସିରହିଥିବା ପରିବାର ଲୋକେ ଖବର ପାଇଥିଲେ । ପୁଅ କେମିତି ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଘରକୁ ଫେରିବ ସେନେଇ ଚିନ୍ତାରେ ଥିଲେ ପୁରା ପରିବାର ସଦସ୍ୟ । ଦିନ ଗଡି ଚାଲିଲା, ବିଳମ୍ବ ହେଲେ ମଧ୍ୟ ଭକ୍ତ ମୁର୍ମୁ ଉଦ୍ଧାର ହୋଇଥିଲା । କିନ୍ତୁ ଏହି ଖୁସି ଖବର ଶୁଣିବାକୁ ତାଙ୍କ ବାପା ଆଉ ଦୁନିଆରେ ନଥିଲେ ।