ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ବୈଠକରେ ଚା' ସହ ସିଙ୍ଗଡା ଦିଆନଯିବାରୁ କଂଗ୍ରେସକୁ କଟାକ୍ଷ କରିଛନ୍ତି ଜେଡିୟୁ ନେତା । ସିଙ୍ଗଡା କିଣିବାକୁ ବି ଦଳ ପାଖରେ ପଇସା ନାହିଁ । ଆଗରୁ ମେଣ୍ଟର ବୈଠକ ହେଲେ ଚା' ଓ ସିଙ୍ଗଡା ଦିଆଯାଉଥିଲା । ହେଲେ ମଙ୍ଗଳବାର ଅନୁଷ୍ଠିତ ବୈଠକ କେବଳ ଚା' ବିସ୍କୁଟରେ ସୀମିତା ଥିଲା । ତେଣୁ ସିଙ୍ଗଡା ପାଇଁ କଂଗ୍ରେସ ପାଖରେ ପଇସା ନାହିଁ ବୋଲି କହି କଂଗ୍ରେସକୁ ତାଚ୍ଛଲ୍ୟ କରିଛନ୍ତି ଜେଡିୟୁ ସାଂସଦ ସୁନୀଲ କୁମାର ପିଣ୍ଟୁ ।
ଜେଡିୟୁ ସାଂସଦ କହିଛନ୍ତି, "ଦିଲ୍ଲୀରେ ମେଣ୍ଟର ଚତୁର୍ଥ ବୈଠକରେ ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତା ଯୋଗ ଦେଇଥିଲେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏଥିରେ ଆସନ ବୁଝାମଣା ସଂକ୍ରାନ୍ତରେ ଆଲୋଚନା ହେବାର ଥିଲା । ମାତ୍ର ସେଭଳି କିଛି ଆଲୋଚନା ହୋଇନଥିଲା । ଏଥର ମେଣ୍ଟର ବୈଠକ କେବଳ ଚା' ଓ ବିସ୍କୁଟରେ ସୀମିତ ଥିଲା । ସିଙ୍ଗଡା କିଣିବା ପାଇଁ ବି କଂଗ୍ରେସ ପାଖରେ ପଇସା ନାହିଁ । କାରଣ ନିକଟରେ କଂଗ୍ରେସ କହିଥିଲା ଯେ, ତା' ପାଖରେ ପାଣ୍ଠିର ଅଭାବ ଅଛି । ତେଣୁ ଦଳ ୧୩୮, ୧୩୮୦ ଓ ୧୩,୮୦୦ ଟଙ୍କା ଆକାରରେ ଡୋନେସନ (ଦାନ) ଆଦାୟ କରିବାକୁ କହିଥିଲା । ହେଲେ ସେହି ଡୋନେସନ ଏଯାଏଁ ମିଳିନଥିବାରୁ ମଙ୍ଗଳବାର ବୈଠକ ବିନା ସିଙ୍ଗଡାରେ କେବଳ ଚା' ବିସ୍କୁଟ ସାରିବାକୁ ପଡ଼ିଲା । ଯେଉଁ ପ୍ରସଙ୍ଗରେ ଆଲୋଚନା ପାଇଁ ବୈଠକ ଡକାଯାଇଥିଲା, ତା' ଉପରେ ବି କିଛି ଆଲୋଚନା ହୋଇନଥିଲା ।"