ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରୁ ଧାରା 370 ଓ 35 (କ) ଉଚ୍ଛେଦକୁ ପାଖାପାଖି 2 ବର୍ଷ ହେବାକୁ ଯାଉଛି । ଏହାରି ମଧ୍ୟରେ ଉଭୟ ଜାମ୍ମୁ କାଶ୍ମୀର ଓ ଲଦାଖରେ ଦୃତ ବେଗରେ ବିକାଶ କାର୍ଯ୍ୟ ଜାରି ରହିଛି ବୋଲି କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି । ସେପଟେ ବିରୋଧୀ ଏବେ ବି ଜାମ୍ମୁ କାଶ୍ମୀରର ବିକାଶ ଓ ସେଠାକାର ଲୋକଙ୍କ ସମସ୍ୟା ନେଇ ସରକାରଙ୍କୁ ସୁଯୋଗ ପାଇଲେ ସମାଲୋଚନା କରୁଛନ୍ତି ।
ଅନ୍ୟପଟେ ବିକାଶ କାମରେ ମହାମାରୀ କରୋନା ଏବେ ସାଜିଛି ପ୍ରତିବନ୍ଧକ । ଏପରି ସ୍ଥିତିରେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି ଜମ୍ମୁ କାଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନା । ବୈଠକରେ ଗୃହମନ୍ତ୍ରଣାଳୟର ଅଧିକାରୀ ଓ ଜମ୍ମୁ କାଶ୍ମୀରର ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକରେ ଜମ୍ମୁ କାଶ୍ମୀରେ ଚାଲିଥିବା ବିକାଶ ମୂଳକ ପ୍ରକଳ୍ପର ସମୀକ୍ଷା ହୋଇଛି । ଏହାସହ ଆଗାମୀ ଦିନରେ ହେବାକୁ ଥିବା ନୂଆ ପ୍ରକଳ୍ପ ବିଷୟରେ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଉପ-ରାଜ୍ୟପାଳ ।
ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂ ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯାଉଛନ୍ତି
ସେହିପରି ବୈଠକରେ ଗୁରୁତ୍ବପୂର୍ଣ୍ଣ ଅମରନାଥଯାତ୍ରା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ଆମ ଦିଲ୍ଲୀ ସମ୍ବାଦଦାତାଙ୍କ ସୂତ୍ରରୁ ସୂଚନା ମିଳିଛି । ଏହାବାଦ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ସୁରକ୍ଷା ଓ ବାଣିଜ୍ୟ ସମ୍ପର୍କରେ ମଧ୍ୟ ଏକ ଭିଜନ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି । ସେହିଭଳି ମହାମାରୀ ମୁକାବିଲା ଟିକାକରଣ, ଦୁର୍ଗମ ଅଞ୍ଚଳର ବିକାଶ ସହ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କୁ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି ଉପ-ରାଜ୍ୟପାଳ ମନୋଜ ସିହ୍ନା । ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର ଅନୁସାରେ ଅନ୍ୟ ଏକ ବୈଠକରେ ଜାମ୍ମୁ କାଶ୍ମୀର ସହ ଜଡିତ ସମସ୍ତ ପ୍ରଶାସନିକ ଅଧିକାରୀ ମୁଖ୍ୟଙ୍କ ବୈଠକ ମଧ୍ୟ କରୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ବୈଠକରେ ଜାମ୍ମୁ କାଶ୍ମୀର ଡିଜିପି, NSA ଡୋଭାଲ, ଗୃହ ସଚିବ, ଆଇବି ମୁଖ୍ୟ, ର’ମୁଖ୍ୟ ସିଆରପିଏଫ ଡିଜିଙ୍କ ସମେତ ଏକାଧିକ ସୁରକ୍ଷା ଏଜେନ୍ସୀର ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚାରେ ଜାମ୍ମୁ କାଶ୍ମୀର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ