ଚଣ୍ଡିଗଡ: ଇଣ୍ଡିଗୋ ବିମାନରେ ମଦ୍ୟପ ଯାତ୍ରୀଙ୍କ ଉନ୍ମତ କାଣ୍ଡ । ନିଶାସକ୍ତ ଅବସ୍ଥାରେ ମହିଳା କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରୀ। ବିମାନ ଅବତରଣ ପରେ ଯାତ୍ରୀ ଜଣଙ୍କୁ ଗିରଫ କଲା ପୋଲିସ । ଦୁବାଇରୁ ଅମୃତସର ଅଭିମୁଖେ ଆସୁଥିବା ଇଣ୍ଡିଗୋ ବିମାନରେ ମଦ୍ୟପାନ କରି ଏପରି କାଣ୍ଡ ଭିଆଇଥିଲେ ଯାତ୍ରୀ ଜଣଙ୍କ । ଗିରଫ ଯାତ୍ରୀ ହେଉଛନ୍ତି ଜଳନ୍ଧର କୋଟଲି ଅଞ୍ଚଳର ରାଜେନ୍ଦ୍ର ସିଂ । ପଞ୍ଜାବର ଅମୃତସର ବିମାନ ବନ୍ଦରରୁ ରାଜେନ୍ଦ୍ରଙ୍କୁ ଗିରଫ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦୁବାଇରୁ ଅମୃତସର ଅଭିମୁଖେ ଇଣ୍ଡିଗୋ ବିମାନ 6E 1428 ଉଡାଣ ଆରମ୍ଭ କରିଥିଲା । କିନ୍ତୁ ବିମାନ ଉଡାଣ ପୂର୍ବରୁ ଯାତ୍ରୀ ରାଜେନ୍ଦ୍ର ସିଂ ମଦ୍ୟପାନ କରି ବିମାନକୁ ଯାଇଥିଲେ । ଏହାପରେ ଉଡାଣ ସମୟରେ ମଧ୍ୟ ବିମାନରେ ମଦ୍ୟପାନ କରି ମହିଳା କ୍ରୁ ମେମ୍ବରଙ୍କୁ ଅସଦାଚରଣ କରିବା ସହ ଉଚ୍ଚ ସ୍ବରରେ ପାଟି କରିଥିଲେ । ଏହି ସମୟରେ ଅନ୍ୟ କ୍ରୁ ମେମ୍ବର ମାନେ ଯାତ୍ରୀ ଜଣଙ୍କୁ ନିୟନ୍ତ୍ରଣ କରିଥିଲେ । ବିମାନଟି ଯେତେବେଳେ ଅମୃତସରରେ ଅବତରଣ କରିଥିଲା ସେହି ସମୟରେ ମଦ୍ୟପ ଯାତ୍ରୀ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।