ହାଇଦ୍ରାବାଦ:ଦୁଇ ଦିନିଆ ଇରାନ ଗସ୍ତରେ ଯାଇଥିବା ବିଦେଶ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ସୋମବାର ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ସାକ୍ଷାତ କରିଛନ୍ତି । ଜୟଶଙ୍କର ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଇରାନଙ୍କର ମନ୍ତ୍ରୀମଣ୍ଡଳ ସହ ହୋଇଥିବା ଆଲୋଚନା ସମ୍ପର୍କରେ ମଧ୍ୟ ସେ ରାଷ୍ଟ୍ରପତି ରାଇସିଙ୍କୁ ଅବଗତ କରିଛନ୍ତି । ଏହି ସାକ୍ଷାତକାର ସମ୍ପର୍କରେ ଜୟଶଙ୍କର ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ସେ ନିଜ ଇରାନୀ ପ୍ରତିପକ୍ଷ ତଥା ସ୍ଥାନୀୟ ବିଦେଶ ମନ୍ତ୍ରୀ ଡ.ହୁସେନ ଅମିର ଅବଦୁଲ୍ଲାଏନଙ୍କ ସହ ମଧ୍ୟ ସାକ୍ଷାତ ଓ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିଥିଲେ ।
ଜୟଶଙ୍କର ଏକ ଏକ ପୋଷ୍ଟରେ କହିଛନ୍ତି, ‘‘ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନର ରାଷ୍ଟ୍ରପତି ଡ.ଇବ୍ରାହିମ୍ ରାଇସିଙ୍କୁ ସାକ୍ଷାତ କଲି । କରମାନ ଆକ୍ରମଣ ଘଟଣାରେ ସମବେଦନା ଜଣାଇଲି । ଇରାନ ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା ବିଷୟରେ ତାଙ୍କୁ ସୂଚନା ଦେଇଛି । ଦୁଇ ଦେଶର ଉତ୍ତମ ଦ୍ବିପାକ୍ଷିକ ସମ୍ପର୍କ ପାଇଁ ତାଙ୍କ ମାର୍ଗଦର୍ଶନକୁ ଗୁରୁତ୍ୱ ଦେଉଛି ।’’
ବୈଠକରେ ଉଭୟ ଦେଶ ମଧ୍ୟରେ ରାଜନୈତିକ ସହଯୋଗ, ସଂଯୋଗୀକରଣ ପଦକ୍ଷେପ ଉପରେ ଆଲୋଚନା ହୋଇଛି । ଇରାନ ରାଜଧାନୀ ତେହେରାନରେ ନିଜ ଇରାନ ପ୍ରତିପକ୍ଷଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି ଯେ, ଏହି ଗସ୍ତ ତାଙ୍କୁ କିର୍ମନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମବେଦନା ଜଣାଇବାକୁ ଏକ ସୁଯୋଗ ଦେଇଛି । ଏ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ରାଇସିଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି ବୋଲି ମଧ୍ୟ ଜୟଶଙ୍କର କହିଛନ୍ତି ।