ନୂଆଦିଲ୍ଲୀ:ସଂସଦ ସୁରକ୍ଷା ବିଭ୍ରାଟ ପ୍ରସଙ୍ଗରେ ଆଜି ନିରବତା ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ । ଘଟଣାକୁ ଚିନ୍ତାଜନକ କହିବା ସହ ଏହାକୁ ନେଇ ରାଜନୀତି ନକରିବା ପାଇଁ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିବା ପରେ ଏହାକୁ ନେଇ ସିଧା ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ମୁଖ୍ୟ ବିରୋଧୀ କଂଗ୍ରେସ । ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ମାମଲାରେ ଦଳୀୟ ସାଂସଦଙ୍କ ଭୂମିକା ଥିବା କାରଣରୁ ପ୍ରଧାନମନ୍ତ୍ରୀ ତଦନ୍ତ ଆଳରେ ଚର୍ଚ୍ଚାକୁ ଏଡାଇ ଯାଉଛନ୍ତି ।
ଏକ୍ସରେ ଜୟରାମ ରମେଶ ଲେଖିଛନ୍ତି,‘‘13 ତାରିଖରେ ଲୋକସଭାରେ ଘଟିଥିବା ଅପ୍ରୀତିକର ଘଟଣା ସମ୍ପର୍କରେ ଶେଷରେ ପ୍ରଧାନମନ୍ତ୍ରୀ ଆଜି ତାଙ୍କ ନିରବତା ଭାଙ୍ଗିଲେ । ସେ କହିଲେ, ଏହି ଘଟଣାରେ ତଦନ୍ତ ଆବଶ୍ୟକ,ଚର୍ଚ୍ଚା ନୁହେଁ । ତଦନ୍ତ ମଧ୍ୟ ଆରମ୍ଭ ହୋଇସାରିଛି । ପ୍ରକୃତରେ କ’ଣ ହେଲା ସେ ନେଇ ସମସ୍ତ ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ଦଳମାନେ ଗୃହରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବି କରିଆସୁଛନ୍ତି । ହେଲେ ଏକ ସରଳ କାରଣ ପାଇଁ ପ୍ରଧାନମନ୍ତ୍ରୀ ଚର୍ଚ୍ଚାକୁ ଏଡାଇ ଯାଉଛନ୍ତି । କାରଣ ଏହି ମାମଲାରେ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ଭୂମିକା ରହିଛି । ଦଳୀୟ ସାଂସଦଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବା କାରଣରୁ ସେ ଚର୍ଚ୍ଚା ଚାହୁଁନାହାନ୍ତି ।’’