ରାଞ୍ଚି:ଆଇନ କାନୁନର ପାଚେରୀ ଏହାର ଅନୁପାଳନକାରୀଙ୍କ ହୃଦୟକୁ ମଧ୍ୟ ପଥର କରି ଦେଇପାରେ । ସମସ୍ତଙ୍କୁ ବିଚଳିତ କଲାଭଳି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଚତରାରେ । ଜଣେ ମହିଳା ମୃତ ଶିଶୁପୁତ୍ରକୁ ଧରି ଜେଲ୍ ବାହାରେ ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ବସି ରହିଥିବାର ଦେଖାଯାଇଛି । ଯାହା ସୂଚନା ମିଳିଛି, ମହିଳା ଜଣକ ଉକ୍ତ ଶିଶୁର ଆଈ ଅଟନ୍ତି । ଶିଶୁପୁତ୍ରର ମୃତ୍ୟୁ ପରେ ସେ ତା'ର ବାପା ସହ ପୁଅର ଶେଷ ଦର୍ଶନ କରାଇବାକୁ ଜେଲ୍କୁ ଯାଇଥିଲେ । ସେଠାରେ ଜେଲ୍ କର୍ତ୍ତୃପକ୍ଷଙ୍କୁ ବାପପୁଅର ଶେଷ ଭେଟ କରାଇବା ଲାଗି କାକୁତି ମିନତି ହୋଇଥିଲେ । କିନ୍ତୁ ମହିଳା ଜଣଙ୍କ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍ ବାହାରେ ବସି ରହି କାନ୍ଦିଥିଲେ ମଧ୍ୟ ଭିତରକୁ ଯିବାକୁ ଅନୁମତି ମିଳିନଥିଲା । ଯାହାକି ବର୍ତ୍ତମାନ ସମୟରେ ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ଝାଡଖଣ୍ଡ ବଶିଷ୍ଠ ନଗର ଥାନା ଅନ୍ତର୍ଗତ ବନ୍ଦରଚୁମ୍ବା ଗାଁର ଏହି ଘଟଣା । ଗତ ଶୁକ୍ରବାର ଗାଁର ୨୭ ବର୍ଷୀୟ ଚୁମନ ମହତୋଙ୍କ ପତ୍ନୀ ଫୁଲଦେବୀ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ପ୍ରସବ ସମୟରେ ମାଆ ଓ ଶିଶୁ ଉଭୟ ସୁରକ୍ଷିତ ଥିଲେ । ହେଲେ ଶନିବାର ରାତିରେ ହଠାତ୍ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ରାତି ଅଧିକ ହୋଇଥିବାରୁ ପରିବାର ଲୋକେ ଶିଶୁ ପୁତ୍ରକୁ ସକାଳେ ହସପିଟାଲ ନେବାକୁ ସ୍ଥିର କରିଥିଲେ । ତେବେ ଠିକ୍ ସମୟରେ ଚିକିତ୍ସା ଅଭାବରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ନବଜାତକର ବାପା ଚୁମନ ମହତୋ ଏନଡିପିଏସ ଆକ୍ଟ ମାମଲାରେ ଗତ ସାତ ମାସ ହେଲା ମଣ୍ଡଳ କାରବାରରେ ସଜ୍ଜା ଭୋଗୁଛନ୍ତି ।