ନୂଆଦିଲ୍ଲୀ:ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ପଶ୍ଚିମବଙ୍ଗରୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ । ଅଭିଯୁକ୍ତ ଜଣଙ୍କ ଫରିଦ ଓରଫ ନିତୁ ବୋଲି ପରିଚୟ ସ୍ପଷ୍ଟ କରିଛି ପୋଲିସ । ଫରିଦ ହିଂସାକାଣ୍ଡରେ ସକ୍ରିୟ ଭୂମିକାରେ ଥିଲା । ଘଟଣା ପରେ ସେ ଫେରାର ହୋଇଯାଇଥିବା ବେଳେ ତାକୁ ଗିରଫ କରିବା ପାଇଁ ଏକାଧିକ ସ୍ଥାନରେ ଚଢାଉ ରଖିଥିଲା ତଦନ୍ତକାରୀ ଟିମ । ଶେଷରେ ଆଜି ତାକୁ ପଶ୍ଚିମବଙ୍ଗର ଜଣେ ସମ୍ପର୍କୀୟଙ୍କ ଘରୁ ଗିରଫ କରାଯାଇ ବିମାନ ଯୋଗେ ଦିଲ୍ଲୀ ଅଣାଯାଉଛି ।
ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତଜଣଙ୍କ 2010 ମସିହାରୁ ସ୍ଥାନୀୟ ଅଞ୍ଚଳରେ ଏକାଧିକ ଅପରାଧିକ ମାମଲାରେ ମଧ୍ୟ ସମ୍ପୃକ୍ତ ରହିଛି । ଏବେ ସୁଦ୍ଧା ଚୋରି, ଡକାୟତି ଏବଂ ଆର୍ମସ୍ ଆକ୍ଟ ପରିି ମୋଟ 6ଟି ସଙ୍ଗୀନ ମାମଲା ମଧ୍ୟ ଅଭିଯୁକ୍ତ ନାମରେ ରହିଛି । ଏପ୍ରିଲ 16 ରେ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ଏକାଧିକ ସାଧାରଣ ବ୍ୟକ୍ତିଙ୍କ ସହ ଜଣେ ପୋଲିସ ଅଧିକାରୀ ମଧ୍ୟ ଗୁରୁତର ହୋଇଥିଲେ । ଏହି ଘଟଣାରେ ମଧ୍ୟ ସେ ସମ୍ପୃକ୍ତ ।