ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଦକ୍ଷିଣ ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି (Encounter breaks out in south Kashmir's Pulwama) । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ଏଥିରେ 3 ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ । ଏ ନେଇ ଟ୍ବିଟ କରି ସୂଚନା ଦେଇଛି କାଶ୍ମୀର ଜୋନ ପୋଲିସ ।
ସୂଚନାଅନୁସାରେ ପୁଲୱାମାର ଚନ୍ଦଗାମରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ପାଇଥିଲା ସୁରକ୍ଷାବାହିନୀ । ଏହାପରେ ପୋଲିସ, ସିଆରପିଏଫ ଓ ସୁରକ୍ଷାବାହିନୀଙ୍କ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଦୁଇରୁ ତିନି ଆତଙ୍କୀ ଲୁଚିଥିବା ସୁରାକ ପାଇଥିଲା। ଦୀର୍ଘ ସମୟ ଧରି ଚାଲି ଥିବା ଏହି ଏନକାଉଣ୍ଟର୍ରେ ଜୈଶର ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି । ନିହତ ସମସ୍ତେ ପାକିସ୍ତାନରେ ସକ୍ରିୟ କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ । ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନ ନାଗରିକ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି । ଏହା ମଧ୍ୟରେ ୨ଟି ଏମ-୪ କାର୍ବାଇନ ଓ ଗୋଟିଏ ଏକେ ସିରିଜ ରାଫଲ ରହିଛି। ଗତ ୨୪ ଘଣ୍ଟା ଭିତରେ ଏହା ଦକ୍ଷିଣ କାଶ୍ମୀରରେ ଦ୍ବିତୀୟ ଗୁଳି ବିନିମୟ । ସେନାର କହିବା ଅନୁସାରେ ଆତଙ୍କବାଦୀ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ପାଲଟା ଜବାବରେ ସୁରକ୍ଷାବାହିନୀ ମଧ୍ୟ ସେମାନଙ୍କ ଉପରକୁ ଗୁଳି ଚଳାଇଛି ।