ନୂଆଦିଲ୍ଲୀ:ଦକ୍ଷିଣ କାଶ୍ମୀରର ପୁଞ୍ଚରେ ସେନା ଗାଡିକୁ ହୋଇଥିବା ଆକ୍ରମଣରେ ଆତଙ୍କବାଦୀ ବ୍ୟବହାର କରିଥିଲେ ଶକ୍ତିଶାଳୀ ଷ୍ଟିଲ କୋର ବୁଲେଟ । ଏହି ବୁଲେଟ କୌଣସି ଆର୍ମଡ ଯାନକୁ ଭେଦ କରିବା ସହ କ୍ଷତିଗ୍ରସ୍ତ କରିବାରେ ସକ୍ଷମ ହୋଇଥାଏ । ପ୍ରାଥମିକ ତଦନ୍ତ ପରେ ସେନା ସୂତ୍ରରୁ ଏପରି ସୂଚନା ମିଳିଛି । ଆକ୍ରମଣରେ 5 ଜଣ ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ଶହୀଦ ହୋଇଥିଲେ । ପ୍ରଥମେ ଗ୍ରେନେଡ ମାଡ କରାଯିବା ଫଳରେ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ସେନାର ପ୍ରାଥମିକ ତଦନ୍ତରେ ଏପରି ଦିଗ ସାମ୍ନାକୁ ଆସିଛି ।
ସେନା ସୂତ୍ରରୁ ସୂଚନା ଅନୁସାରେ, ଟ୍ରକର ସମ୍ମୁଖ ଭାଗକୁ ଏହି ଷ୍ଟଲ କୋର ବୁଲେଟରେ ଆକ୍ରମଣ ହୋଇଛି । ଅନ୍ୟ କିଛି ଆତଙ୍କୀ ଅତର୍କିତ ଭାବେ ଗ୍ରେନେଡ୍ ମଧ୍ୟ ମାଡ କରିଛନ୍ତି । ଫଳରେ ସେନା ଟ୍ରକରେ ବିସ୍ଫୋରଣ ସହ ନିଆଁ ଲାଗି ଯାଇଥିଲା । ଏଥିରେ 5 ଯବାନ ଶହୀଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ମଧ୍ୟ ହୋଇଥିଲେ ।
ଏହି ଯବାନମାନେ ରାଷ୍ଟ୍ରୀୟ ରାଇଫଲ୍ସର ଓ ଆତଙ୍କୀ ନିରୋଧୀ ଅପରେସନରେ ନିୟୋଜିତ ଥିଲେ । ଏମାନେ ଏକ ଅପରେସନରେ 5ଟି ଟ୍ରକରେ ଯାଉଥିବା ବେଳେ ପୁଞ୍ଚ୍ର ଭଟା ଦୁରିଆଁରେ ପାହାଡିଆ ଜଙ୍ଗଲ ରାସ୍ତାରେ ଏହି ଆକ୍ରମଣ ହୋଇଥିଲା । ଘଟଣାରେ ପରେ ସେନା ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ୍ ଅପରେସନ ଆରମ୍ଭ କରିବା ସହ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାଥମିକ ତଦନ୍ତ ପରେ ଏହି ତଥ୍ୟ ସମ୍ନାକୁ ଆସିଛି । ଏଥିରେ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ସାମିଲ ଥିଲା । ପ୍ରଥମେ ଆମ୍ବ୍ୟୁସ୍ କରି ଏମାନେ ସେନାର ଗୋଟିଏ ନିର୍ଦ୍ଦିଷ୍ଟ ଟ୍ରକକୁ ଟାର୍ଗେଟ କରିଥିଲେ । ଷ୍ଟିଲ୍ କୋର ବୁଲେଟରେ ଆକ୍ରମଣ ସହ ଅତର୍କିତ ଗ୍ରେନେଡ୍ ମାଡ ମଧ୍ୟ ହୋଇଥିଲା ।
ଘାଟିରେ ଆତଙ୍କବାଦୀ ନିରୋଧୀ ଅପରେସନ ବ୍ୟାପକ ଭାବେ ଜାରି ରହିଛି । ଏହାରି ମଧ୍ୟରେ ଆତଙ୍କବାଦୀମାନେ ଆତ୍ମଗୋପନ କରି ଏପରି ଆକ୍ରମଣ କରିବାକୁ ସକ୍ଷମ ହୋଇଛନ୍ତି । ଏହି ଆକ୍ରମଣ ପରେ ପୁଞ୍ଚ୍ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ଯବାନଙ୍କ ମୁତୟନକୁ ବଢାଇ ଦିଆଯାଇଛି । ସର୍ଚ୍ଚ୍ ଅପରେସନ ମଧ୍ୟ ବ୍ୟାପକ କରାଯାଇଛି । ଗୁଇନ୍ଦା ବିଭାଗ ମଧ୍ୟ ଆଲର୍ଟ ମୋଡରେ ରହିଛି । ଆତଙ୍କୀ ଗତିବିଧି ନେଇ ସୂଚନା ମିଳିବା ପରେ ସେନା କାର୍ଯ୍ୟାନୁଷ୍ଠାନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ