ଶ୍ରୀନଗର:ପୁଣି ଗୃହବନ୍ଦୀ ପିଡିପି ମୁଖ୍ୟ ମେହେବୁବା ମୁଫତି । ଜମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କୁ ଆଜି(ମଙ୍ଗଳବାର) ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ସେ ନିଜେ ଟ୍ବିଟ କରି ଜଣାଇଛନ୍ତି ।
ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ଟ୍ବିଟ୍ କରି କହିଛନ୍ତି ଭାରତ ସରକାର ଆଫଗାନବାସୀଙ୍କ ଅଧିକାର ପାଇଁ ଚିନ୍ତିତ କିନ୍ତୁ କାଶ୍ମୀରବାସୀଙ୍କୁ ସେମାନଙ୍କ ଅଧିକାର ଦେବାକୁ ଅସ୍ବୀକାର କରୁଛନ୍ତି । ମୁଁ ଆଜି ପୁଣି ଗୃହବନ୍ଦୀ ହୋଇଛି କାରଣ ପ୍ରଶାସନ ଅନୁଯାୟୀ କାଶ୍ମୀରରେ ସ୍ଥିତି ସ୍ବାଭାବିକ ନୁହେଁ। ଏହା ସ୍ବାଭାବିକତାର ମିଥ୍ୟା ଦାବିକୁ ପ୍ରକାଶ କରିଥିବା କହିଛନ୍ତି ପିଡିପି ମୁ୍ଖ୍ୟ ।
ମୁଫତିଙ୍କ ଏକ ବେସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା, କିନ୍ତୁ ପ୍ରଶାସନ ସେଠାକୁ ଯିବା ପୂର୍ବରୁ ତାଙ୍କୁ ଅଟକାଇ ଦେଇଛି । ତେବେ ମେହବୁବାଙ୍କ ଗୃହବନ୍ଦୀ ସମ୍ପର୍କରେ ସରକାରୀ ସ୍ତରରେ କିଛି କୁହାଯାଇନାହିଁ । ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନିଙ୍କର ପରଲୋକ ଘଟିବା ପରେ ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ, ମୋବାଇଲ ସେବାକୁ ସାମୟିକ ଭାବରେ ବନ୍ଦ ରଖାଯାଇଛି ।
ଏହାପୂର୍ବରୁ ସେପ୍ଟେମ୍ବର ୫ ତାରିଖରେ ମୁଫତି ଟ୍ବିଟ୍ କରି କହିଥିଲେ, କାଶ୍ମୀରର ଗୋଟିଏ ପରିବାରକୁ ସେମାନଙ୍କର ଇଚ୍ଛାନୁଯାୟୀ ଶୋକ କରିବା ଏବଂ ଅନ୍ତିମ ବିଦାୟ ଦେବାକୁ ଅନୁମତି ଦିଆଯାଉନାହିଁ । ଏହା ସରକାରଙ୍କ ନିଷ୍ଠୁର ଆଚରଣକୁ ପ୍ରତିଫଳିତ କରୁଛି ବୋଲି କହିଥିଲେ ମୁଫତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ