ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡୋ ଯାତ୍ରା (Bharat Jodo Yatra) ଗତକାଲି ଦିଲ୍ଲୀରେ ପହଞ୍ଚିଛି । ଏହି ଅବସରରେ କଂଗ୍ରେସ ନେତା ଦିଲ୍ଲୀର ଐତିହାସିକ ଲାଲକିଲ୍ଲା(Red Fort) ଠାରେ ଜନସାଧାରଣକୁ ସମ୍ବୋଧିତ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ଯେ, ''ଭାରତରେ ଏବେ ମୋଦି ସରକାର ନୁହେଁ ବରଂ ଅମ୍ବାନୀ-ଆଦାନୀ ସରକାର ଚାଲିଛି(Its not Modi govt, but Ambani-Adani govt) । ବିମାନ ବନ୍ଦର ଠାରୁ ନେଇ, ବନ୍ଦର, କୃଷି ଇଦ୍ୟାତି ସବୁ ଉଦ୍ୟୋଗ ସେମାନଙ୍କ ନିୟନ୍ତ୍ରଣରେ ରହିଛି । ଲୋକଙ୍କୁ ବାସ୍ତବ ସମସ୍ୟା ଠାରୁ ଦୂରେଇ ରଖିବା ପାଇଁ ହିନ୍ଦୁ-ମୁସଲିମ୍ ନାମରେ ଘୃଣା ବିସ୍ତାର କରାଯାଉଛି । ଦେଶର ଯୁବବର୍ଗ ପାଖରେ ଚାକିରି ନାହିଁ । ଡିଗ୍ରୀଧାରୀ ଯୁବକ ଯୁବତୀ ଛୋଟ ବ୍ୟବସାୟ କରୁଛନ୍ତି ।''
ଭାରତ ଯୋଡ ଯାତ୍ରାର ଉଦ୍ଦେଶ୍ୟ ଓ ନିଜର ଅନୁଭୂତି ସମ୍ପର୍କରେ ରାହୁଲ କହିଛନ୍ତି ଯେ, ''ଭାରତକୁ ଏକଜୁଟ କରିବା ହିଁ ଏହି ଯାତ୍ରାର ଉଦ୍ଦେଶ୍ୟ । ଯେତେବେଳେ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ କଲୁ, ଦେଶରୁ ଘୃଣାକୁ ଲଭାଇବା ଆବଶ୍ୟକ ବୋଲି ମୁଁ ଭାବୁଥିଲି ଏବଂ ଚାରିଆଡେ ଘୃଣା ରହିଥିବାର ବୋଲି ମୋର ଧାରଣା ଥିଲା । ହେଲେ ଯେବେ ମୁଁ ଯାତ୍ରା କଲି, ସତ କିଛି ଅଲଗା ଥିଲା । ମୁଁ ୨୮୦୦ କିମି ଚାଲିଛି । ହେଲେ ଦେଶରେ କେଉଁଠି ବି ମୋତେ ହିଂସା ଦେଖିବାକୁ ମିଳିନାହିଁ ।'' କିନ୍ତୁ ଟିଭି ଖୋଲିଲେ ମୁଁ ହିଂସା ଦେଖିବାକୁ ପାଏ ବୋଲି ରାହୁଲ କହିଛନ୍ତି । ହିନ୍ଦୁ-ମୁସଲମାନ ନାମରେ ହିଂସା ପ୍ରସାର କରାଯାଉଛି । କିନ୍ତୁ ଏହା ସତ୍ୟ ନୁହେଁ । ଦେଶର ଲୋକଙ୍କ ମଧ୍ୟରେ ଭାଇଚାର ରହିଛି । ସମସ୍ତଙ୍କ ଭିତରେ ଭଲ ପାଇବା ରହିଛି ବୋଲି କହିଛନ୍ତି କଂଗ୍ରେସ ନେତା । ଏହାସହିତ ବିଜେପି ଏହି ଘୃଣା ପ୍ରସାର କରୁଥିବା ସେ ଅଭିଯୋଗ କରିଛନ୍ତି ।