ଥିରୁଅନନ୍ତପୁରମ:ପ୍ରକାଶିତ ହେବନି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଅଧ୍ୟକ୍ଷ ଏସ.ସୋମନାଥଙ୍କ ଲିଖିତ ଆତ୍ମଜୀବନୀ । ଲେଖାରେ ଥିବା କିଛି ଟିପ୍ପଣୀକୁ ନେଇ ବିବାଦ ହେବା ପରେ ସୋମନାଥ ଏହାର ପ୍ରକାଶନ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହା ନିକଟରେ ପ୍ରକାଶିତ ହେବାରେ ଥିଲା । ତେବେ ଏହାର କିଛି ଦିନ ପୂର୍ବରୁ କିଛି ସମାଲୋଚନାତ୍ମକ ଟିପ୍ପଣୀକୁ ନେଇ ସୋମନାଥ ଚର୍ଚ୍ଚା ପରିସରକୁ ଆସିଥିଲେ । ସେ ଏଥିରେ ଇସ୍ରୋର ପୂର୍ବ ଅଧ୍ୟକ୍ଷ ଡ.କେ.ଶିବନଙ୍କ ସମ୍ପର୍କରେ କିଛି ଆଲୋଚନାତ୍ମକ ଲେଖା ଲେଖିଥିବା ଚର୍ଚ୍ଚା ହୋଇଥିଲା । ମାତ୍ର ଏହାକୁ ସେ ନିଜେ ଏହାକୁ ଖଣ୍ଡନ କରିଥିଲେ । ତାଙ୍କ ଆତ୍ମଜୀବନୀରେ କାହାକୁ ନିର୍ଦ୍ଦିଷ୍ଟ ଭାବେ ସମାଲୋଚନା କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।
ସୋମନାଥ ନିଜ ଆତ୍ମକଥା ‘ନିଲାଭୁ କୁଦିଚା ସିମଙ୍ଘଲ’ ଇଂରାଜୀ ଅନୁବାଦ (Lions that drank the moonlight) ଲେଖିଛନ୍ତି । ଯାହା ଜଣେ ଭାରତୀୟ ମହାକାଶ ବିଜ୍ଞାନୀ ଭାବେ ତାଙ୍କର ଦୀର୍ଘ ଦଶନ୍ଧିର ଯାତ୍ରା ଆଧାରିତ । ତାଙ୍କର କାର୍ଯ୍ୟକାଳ, ସଂଘର୍ଷ ଓ ଇସ୍ରୋର ଶୀର୍ଷ ସ୍ଥାନ ଅଧିଗ୍ରହଣ କରିବା ଠାରୁ ଚନ୍ଦ୍ରଯାନ-3 ସଫଳ ଲ୍ୟାଣ୍ଡିଂ ପର୍ଯ୍ୟନ୍ତ ସମସ୍ତ କଥା ଏଥିରେ ସେ ସ୍ଥାନ ଦେଇଥିଲେ । ତେବେ ଚନ୍ଦ୍ରଯାନ 3 ସଫଳ ତଥା ଐତିହାସିକ ଲ୍ୟାଣ୍ଡିଂ ପରେ ବେଶ ଚର୍ଚ୍ଚରେ ଥିବା ସୋମନାଥଙ୍କ ଏହି ଆତ୍ମଜୀବନୀକୁ ନେଇ ବେଶ ଉତ୍କଣ୍ଠା ମଧ୍ୟ ରହିଥିଲା । ମାତ୍ର ପ୍ରକାଶନ ପୂର୍ବରୁ ଏହା ବିବାଦ ଘେରକୁ ଆସିଥିଲା । ସଂସ୍ଥାର ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼େ ବୋଲି ସେ ଲେଖିଥିବା ଚର୍ଚ୍ଚା ହେବା ସହ ଏହା କେ ଶିବନଙ୍କ ଉଦ୍ଦେଶ୍ୟରେ ସମାଲୋଚନା ମୂଳକ ଲେଖା ଥିଲା ବୋଲି ଚର୍ଚ୍ଚା ହୋଇଥିଲା ।