ବେଙ୍ଗାଲୁରୁ: ISRO ଅଧ୍ୟକ୍ଷ ଏସ.ସୋମନାଥଙ୍କୁ ଆଜି (ମଙ୍ଗଳବାର) ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଛି । ସୋମନାଥ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପାଇଁ ଦିଲ୍ଲୀରେ ଥିବା କାରଣରୁ ଆଜି ବିଶ୍ବବିଦ୍ୟାଳୟର 58ତମ ଦୀକ୍ଷାନ୍ତ ସମାରୋହରେ ପ୍ରତ୍ୟେକ୍ଷ ସାମିଲ ହୋଇପାରିନଥିଲେ । ସେ ଭର୍ଚ୍ଚୁଆଲି ଏହିି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଉପାଧି ଗ୍ରହଣ କରିଛନ୍ତି । ସୋମନାଥ ଏହି ସମ୍ମାନକୁ ସଫଳ ହୋଇଥିବା ଚନ୍ଦ୍ରଯାନ-3ର ଟିମ ଓ ଜାରି ରହିଥିବା ପ୍ରଥମ ସୌରମିଶନ ଆଦିତ୍ୟ ଏଲ-1 ର ସମସ୍ତ ସଦସ୍ୟଙ୍କୁ ଉତ୍ସର୍ଗ କରିଛନ୍ତି ।
ସମ୍ମାନ ଗ୍ରହଣ କରିବା ଅବସରରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମକୁ ଭିସି ଜରିଆରେ ସମ୍ବୋଧିତ କରି ସୋମନାଥ କହିଛନ୍ତି, ‘‘ଏହି ସମ୍ମାନ କେବଳ ମୋ ପାଇଁ ନୁହେଁ ବରଂ ଭାରତର ଐତିହାସିକ ଚନ୍ଦ୍ର ଅଭିଯାନ ଓ ସୌରମିଶନ ଆଦିତ୍ୟ ଏଲ-1ରେ କାର୍ଯ୍ୟରତ ସମସ୍ତ ମହାକାଶ ବିଜ୍ଞାନୀ, ଯନ୍ତ୍ରୀ, ଟେକ୍ନିସିଆନ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ । ଏହା ଆମ ସମସ୍ତଙ୍କ (ଇସ୍ରୋ ଟିମ) ପ୍ରତି ଆପଣଙ୍କ ଶ୍ରଦ୍ଧା ଓ ଭଲପାଇବା । ’’
ତେବେ ବହୁଚର୍ଚ୍ଚିତ ଚନ୍ଦ୍ରଯାନ-3 ସଫଳ ହେବା ପରେ ଭାରତ ଏବେ ବିଶ୍ବରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ ଓ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ବିଶ୍ବରେ 4ର୍ଥ ରାଷ୍ଟ୍ର ଭାରତ ଭାବେ ମାନ୍ୟତା ପାଇଛି । ଏହି ଅଭିଯାନର ନେତୃତ୍ବ ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ନେଇଥିଲେ । ତେବେ ତାଙ୍କ ନେତୃତ୍ବରେ ଭାରତର ପ୍ରଥମ ସୌରମିଶନ ‘ଆଦିତ୍ୟ ଏଲ-1’ ମଧ୍ୟ ସଫଳତାର ସହ ଉତକ୍ଷେପଣ ପରେ କାର୍ଯ୍ୟ ଜାରି ରଖିଛି । ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ର ନେତୃତ୍ବ ମଧ୍ୟ ଏସ.ସୋମନାଥ ନେଉଛନ୍ତି । ତେଣୁ ମହାକାଶ ଗବେଷଣା କ୍ଷେତ୍ରରେ ତାଙ୍କର ଦକ୍ଷ ନେତୃତ୍ବ ଓ ଐତିହାସିକ ଉପଲବ୍ଧି ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ କରାଯାଉଛି ।