ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପରେ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରୁ ନିଜର କାମ ଆରମ୍ଭ କରିଦେଇଛି । ରୋଭର ଦକ୍ଷିଣ ମେରୁରେ ଘୁରି ବୁଲି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛି । ରୋଭରର ପ୍ରତିଟି ଗତିବିଧି ଉପରେ ଇସ୍ରୋ ତୀକ୍ଷ୍ମ ନିଜର ରଖିଛି । ଏହାକୁ ନେଇ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଆସନ୍ତା ୧୩-୧୪ ଦିନକୁ ନେଇ ଖୁବ୍ ଉତ୍ସାହିତ ଅଛୁ । ରୋଭର ପ୍ରଜ୍ଞାନ ସମସ୍ତ ଲକ୍ଷ୍ୟ ହାସଲ ଦିଗରେ କାମ କରୁଛି । ଏ ପର୍ଯ୍ୟନ୍ତ ଅନେକ ତଥ୍ୟ ଦେଇସାରିଲାଣି । ଆଗାମୀ ୧୪ ଦିନ ଭିତରେ ଆହୁରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆସିବ ।
ଏସ ସୋମନାଥ କହିଛନ୍ତି ଯେ, ଚନ୍ଦ୍ରଯାନ-୩ ଜରିଆରେ ଆମେ ବିଜ୍ଞାନ କ୍ଷେତ୍ରରେ ଭଲ ସଫଳତା ହାସଲ କରିବୁ ବୋଲି ଆଶାବାଦୀ ଅଛୁ । ଭାରତ ଅଧିକ ଅନ୍ତରୀକ୍ଷ ମିଶନ ଲଞ୍ଚ କରିବା ପାଇଁ ସକ୍ଷମ । ଭାରତର ମହାକାଶ ଗବେଷଣା କ୍ଷେତ୍ରକୁ ଆହୁରି ବିକଶତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘମିଆଦି ଦୃଷ୍ଟିକୋଣ ଲାଗୁ କରିବାକୁ ଭାରତୀୟ ମହାକାଶ ଗବେଷଣ ସଂସ୍ଥା(ISRO) ପ୍ରସ୍ତୁତ ଅଛି । ଶନିବାର କେରଳ ଗସ୍ତ ଅବସରରେ ଥିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି ।