ନୂଆଦିଲ୍ଲୀ:ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନୈତିକ ସମ୍ପର୍କର 30 ବର୍ଷ ପୂର୍ତ୍ତି ଅବସରରେ ଭାରତ ଆସୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ । ପ୍ରଧାନମନ୍ତ୍ରୀ ବେନେଟଙ୍କ ସହ ଅନ୍ୟ କିଛି ବରିଷ୍ଠ ଇସ୍ରାଏଲି ଅଧିକାରୀ ମଧ୍ୟ ଭାରତ ଆସିପାରନ୍ତି ବୋଲି ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲନ ଆଜି (ସୋମବାର) ସୂଚନା ଦେଇଛନ୍ତି । ତେବେ ଏହି ଗସ୍ତ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଚୂଡାନ୍ତ ହୋଇନାହିଁ ।
ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷର ଉତ୍ତମ ଦ୍ବିପାକ୍ଷିକ ସମ୍ପର୍କ ରହିଆସିଛି । ଚଳିତ ବର୍ଷ ଦୁଇ ଦେଶ କୂଟନୈତିକ ସମ୍ପର୍କ ୩୦ ବର୍ଷରେ ପହଞ୍ଚିଛି । ଏକ ଭର୍ଚ୍ଚୁଆଲ୍ ୱେବିନାରରେ ରାଷ୍ଟ୍ରଦୂତ ଗିଲନ୍ କହିଛନ୍ତି, ସେ ଭାରତରେ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହେବାର ଅବସର ତାଙ୍କୁ ମିଳିଥିବାରୁ ସେ ବେଶ ଖୁସି । ଦୁଇ ଦେଶ ପରସ୍ପରର ବନ୍ଧୁ ଭାବେ କାର୍ଯ୍ୟ କରି ଆସୁଛନ୍ତି । ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ପରସ୍ପର ସହଭାଗିତାରେ ଉଭୟ ଭାରତ ଓ ଇସ୍ରାଏଲ ନିଜର ବନ୍ଧୁତ୍ବପୂର୍ଣ୍ଣ ଯାତ୍ରା ଜାରି ରଖିଛନ୍ତି ।