ଓଡିଶା

odisha

ETV Bharat / bharat

Israel-Palestine war: ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଗାଜା ହସ୍ପିଟାଲ ଆକ୍ରମଣରେ କଲେ ଦୁଃଖ ପ୍ରକାଶ

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଗାଜା ହସ୍ପିଟାଲରେ ଆକ୍ରମଣ ଘଟଣାରେ ଶୋକ । ଭାରତ ମାନବୀୟ ସହାୟତା ଜାରି ରଖିବା ନେଇ ଦେଲେ ପ୍ରତିଶୃତି । ଆଜି ଇସ୍ରାଏଲ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 19, 2023, 9:11 PM IST

Israel-Palestine war: ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଗାଜା ହସ୍ପିଟାଲ ଆକ୍ରମଣରେ କଲେ ଶୋକ ପ୍ରକାଶ
Israel-Palestine war: ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଗାଜା ହସ୍ପିଟାଲ ଆକ୍ରମଣରେ କଲେ ଶୋକ ପ୍ରକାଶ

ନୂଆଦିଲ୍ଲୀ:ଇସ୍ରାଏଲ-ଗାଜା ଯୁଦ୍ଧ ମଧ୍ୟରେ ଆଜି ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାଜା ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣରେ ଦୁଃଖ ପ୍ରକାଶ କରିବା ସହ ପାଲେଷ୍ଟାଇନକୁ ମାନବୀୟ ସହାୟତା ରାଶି ପ୍ରଦାନ ଜାରି ରହିବା ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଆଜି ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ‘ଏକ୍ସ’ ହ୍ୟାଣ୍ଡଲରେ ଟ୍ବିଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟରେ କହିଛନ୍ତି, ‘‘ପାଲେଷ୍ଟାଇନ ଅଥରିଟି ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କ ସହ ଫୋନରେ ଆଲୋଚନା ହୋଇଛି । ଗାଜାରେ ଏକ ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣରେ ଦୁଃଖ ପ୍ରକାଶ କଲି । ପାଲେଷ୍ଟାଇନ ନାଗରିକଙ୍କ ପାଇଁ ଭାରତ ମାନବୀୟ ସହାୟତା ରାଶି ପଠାଇବା ଜାରି ରଖିବ । ଉକ୍ତ ଅଞ୍ଚଳରେ ଜାରି ରହିଥିବା ଦୁଇ ଦେଶ ମଧ୍ୟରେ ହିଂସାତ୍ମକ ସ୍ଥିତି ଓ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଭାରତ ଗଭୀର ଚିନ୍ତିତ ରହିଛି ।’’

ଦୁଇଦିନ ତଳେ ଗାଜାରେ ଏକ ହସ୍ପିଟାଲରେ ରକେଟ ଆକ୍ରମଣରେ ପ୍ରାୟ 5 ଶହ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅଧିକାଂଶ ସାଧାରଣ ପାଲେଷ୍ଟାନୀୟ ନାଗରିକ ରହିଛନ୍ତି । ଏହି ଆକ୍ରମଣ ପାଇଁ ପରସ୍ପରକୁ ଦାୟୀ କରୁଛନ୍ତି ‘ହମାସ’ ଗୋଷ୍ଠୀ ଓ ଇସ୍ରାଏଲ ସେନା । ହମାସ ଓ ପାଲେଷ୍ଟାଇନ ଏହାକୁ ଇସ୍ରାଏଲ ସେନାର ରକେଟ ମାଡ କହୁଥିବା ବେଳେ ଇସ୍ରାଏଲ ସେନା ମଧ୍ୟ ଡିଜିଟାଲ ପ୍ରମାଣ ଜାରି କରି ଏହା ହମାସ ଗୋଷ୍ଠୀର ଆକ୍ରମଣ ବୋଲି ଅଭିଯୋଗ କରିଛି । ଇସ୍ରାଏଲ ସେନାକୁ ଗାଜାରୁ ଟାର୍ଗେଟ ବେଳେ ଏହା ମିସ-ଫାଏର ହୋଇ ଏହି ହସ୍ପିଟାଲ ଉପରେ ପଡିଥିବା ଇସ୍ରାଏଲ କହିଛି । ଅନ୍ୟପଟେ ଆମେରିକା ସମେତ ଅନ୍ୟ କିଛି ଦେଶ ଏହାକୁ ଇସ୍ରାଏଲର ଆକ୍ରମଣ ବୋଲି ସ୍ବୀକାର କରିନାହାନ୍ତି ।

ଗତକାଲି ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ଇସ୍ରାଏଲରେ ପହଞ୍ଚି ସ୍ଥାନୀୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । ଆମେରିକା ସବୁ ପରିସ୍ଥିତିରେ ଇସ୍ରାଏଲ ସହ ରହିଛି ଓ ଆଗକୁ ରହିବ ବୋଲି ଅଭୟବାଣୀ ଦେଇଥିଲେ । ଆଜି ଏହି କ୍ରମରେ ବ୍ରିଟେନ ମଧ୍ୟ ସାମିଲ ହୋଇଛି । ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଟେଲ-ଆଭିଭରେ ପହଞ୍ଚି ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ବ୍ରିଟେନ ମଧ୍ୟ ଇସ୍ରାଏଲ ସହ ରହିଛି ବୋଲି ସୁନକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Israel-Hamas War: ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତରେ ଜୋ ବାଇଡେନ, ଗାଜା ହସ୍ପିଟାଲରେ ରକେଟ ମାଡ ପରେ ଜୋର୍ଡାନରେ ଶିଖର ବୈଠକ ବାତିଲ

ଭାରତ ଆକ୍ରମଣର ପ୍ରଥମ ଦିନରୁ ସନ୍ତୁଳନ ରକ୍ଷା କରି ନିଜର ଆଭିମୁଖ୍ୟ ରଖିଆସିଛି । ଗାଜାପଟିରୁ ଇସ୍ରାଏଲ ଉପରେ ହୋଇଥିବା ରକେଟ ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ କହି ନିନ୍ଦା କରିଥିଲା ଭାରତ । ଇସ୍ରାଏଲକୁ ନୈତିକ ସମର୍ଥନ ମଧ୍ୟ ଦେଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଏବେ ଗାଜା ହସ୍ପିଟାଲରେ ହୋଇଥିବା ଆକ୍ରମଣରେ ଭାରତ ଦୁଃଖ ପ୍ରକାଶ କରିଛି । ପେଲଷ୍ଟାଇନକୁ ମାନବୀୟ ସହୟତା ରାଶି ମଧ୍ୟ ପଠାଇବା ଜାରି ରଖିବା ନେଇ ପ୍ରତିଶୃତି ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details