ଓଡିଶା

odisha

ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ; ଭାରତରେ ଥିବା ଇସ୍ରାଏଲୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି

By ETV Bharat Odisha Team

Published : Dec 27, 2023, 9:23 AM IST

Israel's Safety Advisory After Blast: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପରେ ଭାରତରେ ଥିବା ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜରି କଲା ଇସ୍ରାଏଲ । ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ପରାମର୍ଶ । ଅଧିକ ପଢନ୍ତୁ

ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ
ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଥିବା ଇସ୍ରାଏଲର ଦୂତାବାସ ନିକଟରେ ବିସ୍ଫୋରଣ ହୋଇଛି । ମଙ୍ଗଳବାର ଅପରାହ୍ନ ୫ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ଘଟିନଥିବା ବେଳେ ଦୂତାବାସର ସମସ୍ତ କର୍ମଚାରୀ, କୂଟନୈତିଜ୍ଞମାନେ ସୁରକ୍ଷିତ ଅଛନ୍ତି । ଏହି ଘଟଣା ପରେ ଇସ୍ରାଏଲ ଭାରତରେ ଥିବା ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି । ଇସ୍ରାଏଲୀୟ ନାଗରିକମାନଙ୍କୁ ମଲ୍, ମାର୍କେଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ସତର୍କ କରାଯାଇଛି । ହୋଟେଲ, ରେସ୍ତୋରାଁ, ପବ୍ ଯାଉଥିଲେ ସତର୍କ ରହିବାକୁ କୁହାଯାଇଛି ।

ଇସ୍ରାଏଲ ଜାତୀୟ ସୁରକ୍ଷା ପରିଷଦ ଉକ୍ତ ବିସ୍ଫୋରଣକୁ 'ଆତଙ୍କବାଦୀ ଆକ୍ରମଣ' ଆଶଙ୍କା କରିଛି । ତେଣୁ ଇସ୍ରାଏଲ ସୁରକ୍ଷା ପରିଷଦ ନିଜର ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି । ଇସ୍ରାଏଲ ଦୂତାବାସର ମୁଖପାତ୍ର ଗାଏ ନିର୍ PTIକୁ କହିଛନ୍ତି, ''ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟାରେ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଥିଲା । ଦିଲ୍ଲୀ ପୋଲିସ ଓ ସୁରକ୍ଷା ଟିମ୍ ଘଟଣାସ୍ଥଳରେ ଛାନଭିନ୍ କରିଛନ୍ତି ।''

ଏହା ମଧ୍ୟ ପଢନ୍ତୁ: ରିଜର୍ଭ ବ୍ୟାଙ୍କକୁ ଉଡାଇବାକୁ ଧମକ, ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ

ସୂଚନା ମୁତାବକ, ଗତକାଲି ଅପରାହ୍ନ ୫ଟା ବେଳେ ଦିଲ୍ଲୀ ଚାଣକ୍ୟପୁରୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ଏନେଇ ଖବର ପାଇବା ପରେ ଦିଲ୍ଲୀ ପୋଲିସ, ଡଗ୍ ସ୍କ୍ବାଡ୍‌, କ୍ରାଇମ ଟିମ୍, ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ । ଫରେନସିକ୍‌ ଟିମ୍ ମଧ୍ୟ ସେଠାକୁ ଯାଇ ଯାଞ୍ଚ କରିଥିଲେ । ତେବେ ଏହା ଅତି ଛୋଟ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ତେବେ ଖୋଳତାଡ଼ ବେଳେ ଘଟଣାସ୍ଥଳରୁ ଗୋଟିଏ ଚିଠି ମିଳିଥିଲା । ଚିଠିରେ ଗୋଟିଏ ପତାକା ଗୁଡା ଯାଇଥିଲା । ସମଗ୍ର ଅଞ୍ଚଳକୁ ତନ୍ନ ତନ୍ନ କରିବା ଯାଞ୍ଚ କରିବା ପରେ ସେଠାରୁ ମିଳିଥିବା ସାମଗ୍ରୀଗୁଡିକୁ ପୋଲିସ ଜବତ କରି ପରୀକ୍ଷା ପାଇଁ ଫରେନ୍ସିକ୍‌ ଲ୍ୟାବ୍‌ ପଠାଇଛି । ଏହି ବିସ୍ଫୋରଣ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ପୋଲିସ ସିସିଟିଭି ଜରିଆରେ ପୁରା ଅଞ୍ଚଳ ଉପରେ ନଜର ରଖିଛି ।

ପ୍ରକାଶ ଥାଉକି, ୨୦୨୧ରେ ଇସ୍ରାଏଲ୍‌ ଦୂତାବାସ ବାହାରେ ଏଭଳି ଏକ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ସେଠାରେ ଥିବା କିଛି କାର୍ ଗୁଡିକୁ ନଷ୍ଟ ହୋଇଯାଇଥିବା ବେଳେ କାହାର ମୃତ୍ୟୁ ହୋଇନଥିଲା । ଏହାପୂର୍ବରୁ ୨୦୧୨ ଫେବୃୟାରୀରେ ଦିଲ୍ଲୀରେ ଇସ୍ରାଏଲ ଦୂତାବାସର ଜଣେ ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ସେ କାର୍ ଭିତରେ ଥିବା ଅବସ୍ଥାରେ ତାଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ସେ ଆହତ ହୋଇଥିଲେ ।

ABOUT THE AUTHOR

...view details