ଓଡିଶା

odisha

ETV Bharat / bharat

ବଦଳିଲା ଇସ୍ରାଏଲର ମନୋବୃତ୍ତି; UNSCରେ ଭାରତକୁ ଅଣଦେଖା, ଆମେରିକାକୁ ଧନ୍ୟବାଦ - UNSC

ଅନ୍ତର୍ଜାତୀୟ ସ୍ତରରେ ବର୍ତ୍ତମାନ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଚିନ୍ତାର ବିଷୟ । ପଡୋଶୀ ରାଷ୍ଟ୍ରର ଦ୍ବନ୍ଦରେ ବଳି ପଡୁଛନ୍ତି ସାଧାରଣ ଜନତା । ବର୍ତ୍ତମାନ ସୁଦ୍ଧା ଉଭୟ ଦେଶରୁ 250ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଉଭୟ ଦେଶର ସ୍ଥିତିକୁ ନେଇ ଭାରତର ପ୍ରତିକ୍ରିୟା ଓ ଏହାର ପ୍ରତିଉତ୍ତରରେ ଇସ୍ରାଏଲର ଅଣଦେଖା ବର୍ତ୍ତମାନ ଦୃଷ୍ଟି ଆକର୍ଷଣ କରିଛି । ଅଧିକ ପଢନ୍ତୁ...

ବଦଳିଲା ଇସ୍ରାଏଲର ମନୋବୃତ୍ତି
ବଦଳିଲା ଇସ୍ରାଏଲର ମନୋବୃତ୍ତି

By

Published : May 20, 2021, 1:33 PM IST

ହାଇଦ୍ରାବାଦ: ନିକଟରେ ଅନୁଷ୍ଠିତ ହୋଇଯାଇଛି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(UNSC)ର ବୈଠକ । ଏହି ବୈଠକରେ ଇସ୍ରାଏଲ ଓ ପାଲେଷ୍ଟାଇନ ସଂଘର୍ଷ ଥିଲା ମୁଖ୍ୟ ଆକର୍ଷଣ । ଉଭୟ ରାଷ୍ଟ୍ରକୁ ସଂଘର୍ଷର ଅନ୍ତ କରି ଶାନ୍ତି ଆଡକୁ ଅଗ୍ରସର ହେବାକୁ ସମସ୍ତ ରାଷ୍ଟ୍ର କରିଛନ୍ତି ଅନୁରୋଧ । ଅନ୍ତର୍ଜାତୀୟ ସ୍ତରରେ ବର୍ତ୍ତମାନ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଚିନ୍ତାର ବିଷୟ । ପଡୋଷୀ ରାଷ୍ଟ୍ରର ଦ୍ବନ୍ଦରେ ବଳି ପଡୁଛନ୍ତି ସାଧାରଣ ଜନତା । ବର୍ତ୍ତମାନ ସୁଦ୍ଧା ଉଭୟ ଦେଶରୁ 250ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଉଭୟ ଦେଶର ସ୍ଥିତିକୁ ନେଇ ଭାରତର ପ୍ରତିକ୍ରିୟା ଓ ଏହାର ପ୍ରତି ଉତ୍ତରରେ ଇସ୍ରାଏଲର ଅଣଦେଖା ବର୍ତ୍ତମାନ ଦୃଷ୍ଟି ଆକର୍ଷଣ କରିଛି ।

ସୁରକ୍ଷା ପରିଷଦର ବୈଠକ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଟ୍ବିଟ୍ ଏବେ ଭାରତ ପାଇଁ ସାମାନ୍ୟ ଚିନ୍ତାର ବିଷୟ ବୋଲି ଆମେ କହିପାରିବା । ଇସ୍ରାଏଲ ସପକ୍ଷରେ ଠିଆ ହୋଇଥିବା 25 ଦେଶ-ଆମେରିକା, ଅଲବେନିଆ, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବ୍ରାଜିଲ, କାନାଡା, କୋଲୋମ୍ବିଆ, ସାଇପ୍ରସ, ଜର୍ଜିଆ, ଜର୍ମାନୀ, ହଙ୍ଗରୀ, ଇଟାଲୀ, ସୋଲେଭେନିଆ, ଉକ୍ରେରିନକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତକୁ ସବୁବେଳେ ସମର୍ଥନ କରି ଆସୁଥିବା ଇସ୍ରାଏଲ ବର୍ତ୍ତମାନ ଭାରତକୁ ଅଣଦେଖା କରିଛି । ଧନ୍ୟବାଦର ତାଲିକାରେ ଭାରତର ନାଁ ନାହିଁ । ଏହାଠାରୁ ବି ବଡ ଆଶ୍ଚର୍ଯ୍ୟର ବିଷୟ ହେଲା ଇସ୍ରାଏଲକୁ ଦେଶ ବୋଲି ଗ୍ରହଣ ନକରୁଥିବା ଆମେରିକା ବି ଧନ୍ୟବାଦ ତାଲିକାର ଉପରେ ରହିଛି । ତେବେ ଭାରତକୁ ଇସ୍ରାଏଲ୍ ଅଣଦେଖା କରିବାର କାରଣ କ'ଣ ?

ଭାରତ କେବେ ବି କୌଣସି ଦେଶ ପ୍ରତି ସମ୍ପୂର୍ଣ୍ଣ ଢଳିବା ଦେଖାଯାଇ ନାହିଁ । ପ୍ରତ୍ୟକ୍ଷ ଭାବେ ଭାରତ କୌଣସି ଦେଶକୁ ସମର୍ଥନ ଦିଏନି । ଭାରତ ସବୁବେଳେ ନ୍ୟୁଟ୍ରାଲ୍ ବା ବରାବରି ରହିବାରେ ବିଶ୍ବାସ ରଖେ । ଖାସ୍ କରି ଯେଉଁଠି ଧର୍ମ ଉପରେ ପ୍ରଶ୍ନ ଉଠେ,ସେଠାରେ ଭାରତ ସର୍ବଦା 50-50 ସ୍ଥିତିରେ ସମର୍ଥନ ଜଣାଏ କାରଣ ଭାରତ ନିଜେ ଗୋଟେ ସାର୍ବଭୌମ ଦେଶ, ଏଠାରେ ସମସ୍ତ ଧର୍ମର ସ୍ଥାନ ରହିଛି ତେଣୁ ଭାରତ ସର୍ବଦା ସର୍ବଧର୍ମକୁ ପ୍ରୋତ୍ସାହନ ଦେଇଥାଏ । ଏଠାରେ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଧର୍ମ ବ୍ୟତିତ ଜନବସତି ଓ ଅଞ୍ଚଳ ଅକ୍ତିଆରକୁ ନେଇ ମଧ୍ୟ ସଂଘର୍ଷ ଲାଗି ରହିଛି । ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦରେ ମଧ୍ୟ ଭାରତ ସମାନ ରଣନୀତି ଆପଣେଇଥିଲା । ଭାରତ ତରଫରୁ ସଂଯୁକ୍ତ ରାଷ୍ଟ୍ରକୁ ସମ୍ବୋଧିତ କରିଥିଲେ ସ୍ଥାୟୀ ମୁଖପାତ୍ର ଟି.ଏସ ତୀରୁମୂର୍ତ୍ତୀ ।

ସେ ବୈଠକରେ ଉଭୟ ଦେଶର କାର୍ଯ୍ୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଜେରୁଜେଲମର ଟେମ୍ପଲ୍ ମାଉଣ୍ଟରେ ଥିବା ହରାମ-ଅଲ୍-ସରିଫ୍ ବା ଅଲ-ଅସ୍କା ମସଜିଦ ଉପରେ ଇସ୍ରାଏଲ ପୋଲିସଙ୍କ ପ୍ରବେଶକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହାକୁ ନେଇ ଶୋକ ପ୍ରକାଶ କରିଥିଲା ଭାରତ । ଅନ୍ୟପକ୍ଷେ ଗାଜାରେ ହମାସ ଆତଙ୍କୀଙ୍କ ସାଧାରଣ ନାଗରିକଙ୍କ ଉପରେ ରକେଟ ମାଡକୁ ମଧ୍ୟ ଭାରତ ସମାନ ଭାବରେ ନିନ୍ଦା କରିଛନ୍ତି । ଏହାସହ ଶେଖ୍ ଜାରହାରେ ଇସ୍ରାଏଲ ଦ୍ବାରା ପାଲେସ୍ତିନୀଙ୍କୁ ସ୍ଥାନାନ୍ତରଣକୁ ନେଇ ମଧ୍ୟ ଭାରତ ନିନ୍ଦା କରିଛି । ଏହାସହ ଗାଜାରେ କୌଣସି ପ୍ରକାର ପରିବର୍ତ୍ତନକୁ ନେଇ ମଧ୍ୟ ଭାରତ ଅସନ୍ତୋଷ ପ୍ରକାଶ କରିଛି । ତେଣୁ ସୁରକ୍ଷା ପରିଷଦରେ ଭାରତର ବୟାନ ଉଭୟ ଦେଶ ପ୍ରତି ସମାନ ରହୁଛି ।

ସେପଟେ ଯଦି ଆମେ ଇସ୍ରାଏଲ କଥା କହିବା, ଇସ୍ରାଏଲ୍ ଭାରତକୁ କେତେ ସମର୍ଥନ କରୁଛି ? 1999 କାରଗିଲ ଯୁଦ୍ଧଠାରୁ ଆରମ୍ଭ କରି 2019 ପୁଲୱାମା ଆକ୍ରମଣ ପର୍ଯ୍ୟନ୍ତ, ସବୁ ସମୟରେ ଇସ୍ରାଏଲ ଭାରତକୁ ସମ୍ପୁର୍ଣ୍ଣ ସମର୍ଥନ କରିଛି । କାରଗିଲ ଯୁଦ୍ଧର 2 ବର୍ଷ ପୂର୍ବରୁ ଭାରତ ଏୟାରକ୍ରାଫ୍ଟ ପାଇଁ ସମସ୍ତ ପ୍ରକାର ଯୁଦ୍ଧ ଅସ୍ତ୍ର, ଯେପରିକି ମିସାଇଲ ଆଦିର ବ୍ୟବସ୍ଥା କରିଥିଲା ଇସ୍ରାଏଲ୍ । 1998ରେ ହୋଇଥିବା ପୋଖରନ୍ ନ୍ୟୁକ୍ଲିୟାର ପରୀକ୍ଷଣରେ ଆମେରିକା ଶେଷ ମୂହୁର୍ତ୍ତରେ ଭାରତକୁ ସହାୟତା ଯୋଗାଇବାକୁ ମନା କରିଦେଇଥିଲା ମାତ୍ର ଇସ୍ରାଏଲ ଆଗକୁ ଆସି ଭାରତକୁ ସହାୟତା କରିଥିଲା । ଏହାସହ ଭାରତର ପାକିସ୍ତାନ ବିରୋଧରେ ଏୟାରଷ୍ଟ୍ରାଇକ ମଧ୍ୟ ଇସ୍ରାଏଲି ଶୈଳୀରେ କରାଯାଇଥିଲା ।

ତେବେ ଏହା ବି କହିବା ଭୁଲ୍ ହେବ କି ଭାରତ କେବେ ବି ଇସ୍ରାଏଲକୁ ସମର୍ଥନ କରିନି । 1992 ପରଠାରୁ ଇସ୍ରାଏଲ- ଭାରତ ମଧ୍ୟରେ ଦ୍ବିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଏହାପରଠାରୁ ଉଭୟ ଦେଶ ମଧ୍ୟ ରାଜନୈତିକ, କୃଷି, ଅର୍ଥନୀତି ସବୁଥିରେ ପରସ୍ପରକୁ ସମର୍ଥନ ମିଳିଛି । 2017ରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଇସ୍ରାଏଲ ପରିଦର୍ଶନରେ ମଧ୍ୟ ଯାଇଥିଲେ । ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ପାଇଁ ଆମେ ଏବେ ବି ଇସ୍ରାଏଲ ଉପରେ ଭରଷା କରୁଛେ । ଏହାସହ ଆରବ ଦେଶକୁ ମଧ୍ୟ ଭାରତ ସମ୍ପୁର୍ଣ୍ଣ ଭାବେ ଅଣଦେଖା କରିପାରିବ ନାହିଁ । ବିଶ୍ବରେ ମୁସିଲମ୍ ଦେଶର ସଂଖ୍ୟା ଅଧିକ ।

ସେପଟେ ଯଦି ଆମେ ଇସ୍ରାଏଲ ଓ ଆମେରିକା ସମ୍ପର୍କ ବିଷୟରେ ଆଲୋଚନା କରିବା ତେବେ ଆମେରିକାର ଗୋଟିଏ ଚାପରେ ଇସ୍ରାଏଲ ସଂଘର୍ଷକୁ ସେଇଠି ସମାପ୍ତ କରିବ । ଏହାର ଉଦାହରଣ ଆମେ 3-3 ଥର ଦେଖି ସାରିଛେ । 1956, 1970 ଓ 1997ର ଉଦାହରଣ ଇସ୍ରାଏଲର ଆମେରିକା ପ୍ରତି ଥିବା ଡରକୁ ସ୍ପଷ୍ଟ କରିଦେଇଛି । ଇଜିପ୍ଟ ଉପରେ ଇସ୍ରାଏଲର ଆକ୍ରମଣ ସମୟରେ ଆମେରିକାର ରାଜନୈତିକ ଚାପ ବଢିଥିଲା । ସେତେବେଳେ ଆମେରିକାର ରାଷ୍ଟ୍ରପତି ଆଇନହାୱରଙ୍କ ଗୋଟେ ନୋଟିସର ଇସ୍ରାଏଲ ତୁରନ୍ତ ସୈନ୍ୟ ପ୍ରତ୍ୟାହାର କରିଥିଲା ଓ ଇଜିପ୍ଟର ସମସ୍ତ ଅଞ୍ଚଳକୁ ମୁକ୍ତ କରିଥିଲା । ଆଉ ଗୋଟେ ସମାନ ଉଦାହରଣ 1970ରେ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁଠାରେ ଇଜିପ୍ଟ ଓ ଇସ୍ରାଏଲ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିରେ ଆମେରିକା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସେମିତି ତୃତୀୟ ଉଦାହରଣ 1997ରେ ଦେଖିବାକୁ ମିଳିଥିଲା । ସେତେବେଳେ ହମାସର ମୁଖ୍ୟ ଖାଲିଦ ମସାଲକୁ ବିଷ ଦେବାରେ ବେଞ୍ଜାମିନ୍ ନେତାନ୍ୟାହୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବିଷ ଦେଇ ନିଜ ପାଖରେ ଆଣ୍ଟିଡୋଜ୍ ରଖିଥିଲେ ବେଞ୍ଜାମିନ୍ । ସେହି ସମୟରେ ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିନଟନଙ୍କ ଆଦେଶ ପରେ ବେଞ୍ଜାମିନ ଆଣ୍ଟିଡୋଜ୍ ଦେଇଥିଲେ । ଏସବୁ କ୍ଷେତ୍ରକୁ ଯଦି ଦେଖିବା ତେବେ ଇସ୍ରାଏଲ, ଆମେରିକାର କଥାକୁ କେବେବି ଅଣଦେଖା କରିପାରିବ ନାହିଁ ।

ଏବେ ବି ସଂଯୁକ୍ତ ରାଷ୍ଟ୍ରର 28 ଜଣ ସଦସ୍ୟ ଇସ୍ରାଏଲକୁ ଗୋଟିଏ ଦେଶ ବୋଲି ଗ୍ରହଣ କରନ୍ତି ନାହିଁ ଆଉ ଏଥିରେ ଆମେରିକା ମଧ୍ୟ ସାମିଲ ଅଛି । କିନ୍ତୁ ଏତେ ପରେ ବି ଆମେରିକା, ଇସ୍ରାଏଲକୁ ସମର୍ଥନ କରେ, ଯିହୁଦୀଙ୍କୁ ସମର୍ଥନ କରେ । ଟ୍ରମ୍ପଙ୍କ ଶାସନକାଳରେ ସଂଯୁକ୍ତ ରାଷ୍ଟ୍ରର ବୈଠକରେ ଆମେରିକା ଦ୍ବାରା ଏକ ରିଜୋଲୁସନ ଆଗତ କରାଯାଇଥିଲା, ଯେଉଁଥିରେ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ମାନିବାକୁ କୁହାଯାଇଥିଲା ମାତ୍ର 138ଟି ରାଷ୍ଟ୍ର ଏହାର ବିରୋଧରେ ଥିଲେ, ଏପରିକି ଭାରତ ମଧ୍ୟ ଏହାକୁ ବିରୋଧ କରିଥିଲା । ଭାରତ ସବୁବେଳେ ଚାହେଁ, ଇସ୍ରାଏଲ ଓ ପାଲେଷ୍ଟାଇନରେ ଯାହା ଅଛି ତାହା ରହୁ । କୌଣସି ପ୍ରକାର ପରିବର୍ତ୍ତନ କରାନଯାଉ । ଆଉ ଯଦି ଦେଖିବା ଆମେରିକା ଚାହୁଁନି କି ଇସ୍ରାଏଲ ଅସ୍ତ୍ର ତ୍ୟାଗ କରୁ । ଇସ୍ରାଏଲ ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ଲଢେଇକୁ ଆମେରିକା ସମର୍ଥନ ଜଣାଇଛି । ଏହି କାରଣରୁ ଇସ୍ରାଏଲ ବର୍ତ୍ତମାନ ଆମେରିକାକୁ ନିଜର ବଡ ସମର୍ଥକ ଭାବି ନେଇଛି । ଏପରି ସ୍ଥିତିରେ ଭାରତର ନ୍ୟୁଟ୍ରାଲ୍ ରହିବା ଇସ୍ରାଏଲକୁ ଖପ୍ପା କରିଛି । ତେବେ ଆଗକୁ ଭାରତ ପ୍ରତି ଇସ୍ରାଏଲର ଅଣଦେଖା କେଉଁ ମୋଡ ନେବ, ତାହା ଦେଖିବା ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details