ହାଇଦ୍ରାବାଦ:"ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଲା ଗାଜା- ଇସ୍ରାଏଲ ଯୁଦ୍ଧ । ଏହି ପର୍ଯ୍ୟାୟ ଲମ୍ବା ଅବଧି ପର୍ଯ୍ୟନ୍ତ ଚାଲିବ ଓ ବହୁ କଷ୍ଟକର ହେବ" । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର ରାତିରେ ନିଜ ଦେଶବାସୀଙ୍କୁ ଏଭଳି କିଛି ଉଦବୋଧନ ଦେଇ କହିବା ପରେ କେବଳ ପାଲେଷ୍ଟାଇନରେ ନୁହେଁ ବରଂ ପୁରା ବିଶ୍ବରେ ଛନକା ପଶିଛି । ଗାଜାରେ ଇସ୍ରାଏଲ ବିଧ୍ୱଂସୀଲୀଳା ଚଳାଇଥିବା ବେଳେ ପୁଣି ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିବା ସଙ୍କେତ ଆହୁରି ଭୟକୁ ବହୁଗୁଣା ବଢ଼ାଇଦେଇଛି ।
23 ଦିନରେ ପହଞ୍ଚିଲା ଇସ୍ରାଏଲ-ହମାସ ଯୁଦ୍ଧ । 2 ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ଗତକାଲି(ଶନିବାର) ରାତିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ସମୟରେ ସେ କହିଥିଲେ ଯେ ହମାସ ବିରୋଧରେ ଯୁଦ୍ଧ ଏବେ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଶୁକ୍ରବାର ରାତିରେ ଇସ୍ରାଇଲ ସେନାଙ୍କ ଗାଜା ସ୍ଥଳ ଭାଗରେ ପ୍ରବେଶ ସହ ଏହି ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ତେବେ ଜଳ, ସ୍ଥଳ ଓ ବାୟୁ ତିନି ଦିଗରୁ ଇସ୍ରାଇଲ ଆକ୍ରମଣ ଆହୁରୀ ଜୋରଦାର ଚଳାଇଛି । ଇସ୍ରାଇଲର ଲକ୍ଷ୍ୟ ହେଉଛି ହତ୍ୟାକାରୀ ଶତ୍ରୁକୁ ହରାଇବା ଓ ନିଜ ମାଟିରେ ନିଜ ଅସ୍ତିତ୍ବକୁ ସୁନିଶ୍ଚିତ କରିବା । ଏହି ଯୁଦ୍ଧ ଏବେ ଲମ୍ବା ସମୟ ଧରି ଜାରି ରହିବ ।
ସେ ଆଉ ମଧ୍ୟ କହିଛନ୍ତି ଯେ, ଦେଶ ବର୍ତ୍ତମାନ କର ବା ମର ସ୍ଥିତି ର ସାମ୍ନା କରୁଛି । ଆଉ ଏହା ମଧ୍ୟ ଆମକୁ ଜଣାଅଛି ଯେ, ଏହା ଶେଷ କିଭଳି ହେବ । ଆମେ କରିବା ଓ ଆମେ ବିଜୟୀ ହେବା ବୋଲି ଆହ୍ବାନ ଦେଇଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ହମାସ ବନ୍ଧକ ରଖିଥିବା ଇସ୍ରାଏଲ ସାଧାରଣ ନାଗରିକଙ୍କ ପରିବାର ଲୋକଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । ଓ ସେମାନଙ୍କ ସୁରକ୍ଷା ଦାୟିତ୍ବ ଦେଶର । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା ରହିଛି ଓ ସେମାନଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବ ବୋଲି ଆଶ୍ବସ୍ତି ଦେଇଥିଲେ ।