ଲକ୍ଷ୍ନୌ:ତଥାକଥିତ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ବଢିଲା ଗୁପ୍ତଚରଗିରି ସନ୍ଦେହ । କାରଣ ଉତ୍ତର ପ୍ରଦେଶର ଗୋଣ୍ଡାରୁ ଗିରଫ ହୋଇଥିବା ପାକିସ୍ତାନୀ ଗୁପ୍ତଚର ଏଜେନ୍ସି (ISI)ର 5ଜଣ ଏଜେଣ୍ଟଙ୍କୁ ଜେରା ବେଳେ ମିଳିଛି ସାଙ୍ଘାତିକ ତଥ୍ୟ । ସେମାନେ ଉତ୍ତର ପ୍ରଦେଶ ଏସ୍ଟିଏଫ୍ ସମ୍ମୁଖରେ ସ୍ୱୀକାର କରିଛନ୍ତି ଯେ, ସେମାନଙ୍କୁ ସହଯୋଗ କରିବା ପାଇଁ ପାକିସ୍ତାନ ଅନ୍ୟ କିଛି ମହିଳା ଓ ପୁରୁଷ ଏଜେଣ୍ଟ୍ଙ୍କୁ ଭାରତ ପଠାଇବାର ଯୋଜନା ରଖିଥିଲା । ସେମାନେ ଭାରତରେ ପହଞ୍ଚିବା ପରେ ଏମାନଙ୍କୁ ପ୍ରଶିକ୍ଷଣ ଦେଇଥାଆନ୍ତେ । ତେବେ ଏହି ସୂଚନା ମିଳିବା ପରେ ସୀମା ହାଇଦରଙ୍କ ନାଟକୀୟ ଭାରତରେ ପ୍ରବେଶ ଘଟଣାକୁ ତଦନ୍ତକାରୀ ସଂସ୍ଥା ସହଜରେ ଗ୍ରହଣ କରିପାରୁନାହିଁ । କାରଣ ଗିରଫ ପାକିସ୍ତାନ ଏଜେଣ୍ଟମାନେ ସ୍ବୀକାର କରିଥିବା ଷଡ଼ଯନ୍ତ୍ରରେ ସୀମାଙ୍କ ଭୂମିକା ନାହିଁ ତ ? ଏପର ସନ୍ଦେହ ଏବେ ଘନୀଭୂତ ହେବା ସ୍ବାଭାବିକ ।
ପାକିସ୍ତାନୀ ଏଜେଣ୍ଟଙ୍କ ଏପରି ସାଙ୍ଘାତିକ ଖୁଲାସା ପରେ ଏଟିଏସ ଚିନ୍ତା ବଢିଛି । ସୂଚନା ଅନୁସାରେ, ଏଟିଏସ୍ ଦ୍ବାରା ଗତମାସ (ଜୁଲାଇ) 15 ଏବଂ 18 ରେ ରାଇସ୍, ସଲମାନ ଏବଂ ଅରମାନ ନାମକ 3 ISI ଏଜେଣ୍ଟଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ପଚରା ଉଚରା ସମୟରେ ସେମାନେ ଏହି ବଡ଼ ଖୁଲାସା କରିଥିଲେ । ସେମାନେ ପ୍ରଥମେ ଭାରତ ଆସିଛନ୍ତି । ସେମାନଙ୍କ ସହଯୋଗ କରିବା ପାଇଁ ପାକିସ୍ତାନ ଅନ୍ୟ କିଛି ମହିଳା ଓ ପୁରୁଷ ଗୁଇନ୍ଦା ଏଜେଣ୍ଟଙ୍କୁ ମଧ୍ୟ ଖୁବଶୀଘ୍ର ଭାରତ ପଠାଇବ । ସେମାନେ ଏମାନଙ୍କୁ ପ୍ରଶିକ୍ଷଣ ଦେବେ ବୋଲି ସେମାନେ ଭାରତୀୟ ଏଜେନ୍ସି ନିକଟରେ ସ୍ବୀକାର କରିଥିଲେ ।
ତେବେ ଏହି ମିଶନରେ ସୀମା ହାଇଦର ପ୍ରେମ ଆଳରେ ଭାରତ ଆସି ଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ ବଢ଼ିବା ମଧ୍ୟ ସ୍ବାଭାବିକ । ଅନ୍ୟ କେହି ପାକିସ୍ତାନୀ ମହିଳା କିମ୍ବା ପୁୁରୁଷ ଏଜେଣ୍ଟ ଉତ୍ତର ପ୍ରଦେଶ କିମ୍ବା ଭାରତର ଅନ୍ୟ କୌଣସି ସ୍ଥାନକୁ ଆସିଛନ୍ତି କି ନାହିଁ ସେନେଇ ପୋଲିସ ଓ ଆତଙ୍କବାଦ ନିରୋଧୀ ଦଳର ଚିନ୍ତା ବଢିଛି । ଏହି କାରଣରୁ ସୀମା ହାଇଦରଙ୍କୁ ତଦନ୍ତରେ କ୍ଲିନ୍ଚିଟ୍ ମିଳିବାରେ ମଧ୍ୟ ବିଳମ୍ବ ହୋଇପାରେ ।