ଓଡିଶା

odisha

ETV Bharat / bharat

'କଂଗ୍ରେସରେ କମ୍ୟୁନିଷ୍ଟ', ବାମ ଦଳ ଭବିଷ୍ୟତ ଆଗରେ କଣ୍ଟା ହେବେ କି କହ୍ନେୟା ? - କହ୍ନେୟା କୁମାର କଂଗ୍ରେସ

ଛାତ୍ର ରାଜନୀତିରୁ କ୍ଷମତା ଲଢେଇରେ ଲମ୍ଫ ପ୍ରଦାନ କରିଥିବା ବାମପନ୍ଥୀ ନେତା କହ୍ନେୟା କୁମାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଧରିଛନ୍ତି କଂଗ୍ରେସ ହାତ । ସ୍ବଳ୍ପ ସମୟରେ ବାମପନ୍ଥୀ ରାଜନୀତିରେ ବେଶ ଚର୍ଚ୍ଚା ସାଉଁଟିବାରେ ସକ୍ଷମ ହୋଇଥିଲେ କହ୍ନେୟା, ଏବେ ସେହି ବମଦଳର ଭବିଷ୍ଯତ ଉପରେ ଛିଡା କରିପାରନ୍ତି ପ୍ରଶ୍ନଚିହ୍ନ । ଅଧିକ ପଢନ୍ତୁ...

'କଂଗ୍ରେସରେ କମ୍ୟୁନିଷ୍ଟ', ବାମଦଳର ଭବିଷ୍ୟତ ଆଗରେ କଣ୍ଟା ହେବେ କି କହ୍ନେୟା ?
'କଂଗ୍ରେସରେ କମ୍ୟୁନିଷ୍ଟ', ବାମଦଳର ଭବିଷ୍ୟତ ଆଗରେ କଣ୍ଟା ହେବେ କି କହ୍ନେୟା ?

By

Published : Sep 28, 2021, 10:39 PM IST

Updated : Sep 28, 2021, 10:59 PM IST

ନୂଆଦିଲ୍ଲୀ: ଲାଲ ସଲାମର କଥା କହୁଥିବା କହ୍ନେୟା କୁମାର ଏବେ କଂଗ୍ରେସର ହାତ ଧରି ରାଜନୀତର ରାସ୍ତାରେ ବାଟ ଚାଲିବା ଆରମ୍ଭ କରିଦେଇଛନ୍ତି । ବାମପନ୍ଥୀ ବିଚାରଧାରାର ବିପରୀତ ରାଜନୀତିର ନୂଆ ସ୍ରୋତରେ ବୁଡ ପକାଇଛନ୍ତି କହ୍ନେୟା । ଯେଉଁ ବିଚାରଧାରାକୁ ସାଥିରେ ଘେନି କାଲି ଯାଏଁ କହ୍ନେୟା ଏତେ ବାଟ ଆସିଥିଲେ, ଏବେ ତାହାରି ବିରୁଦ୍ଧରେ ତାଙ୍କୁ ଅନେକ ମଞ୍ଚରୁ କରିବାକୁ ପଡିବ ସ୍ବର ଉତ୍ତୋଳନ । ଯଦିଓ ରାଜନୀତିରେ ନିଷ୍ଠା ବଦଳିବାର ଧାରା ବେଶ ପୁରୁଣା, ତଥାପି ବୈଚାରିକ ପ୍ରତିବଦ୍ଧତାରୁ ମୋହ ଭଙ୍ଗ ଏବଂ ରାଜନୈତିକ ଭବିଷ୍ୟତର ଟଣାଓଟରା ମଧ୍ୟରେ କହ୍ନେୟାଙ୍କ ରାସ୍ତାରେ ଆସିପାରେ ଅନେକ କଠିନ ମୋଡ ।

ଛାତ୍ର ରାଜନୀତିରୁ କ୍ଷମତାର ଲଢେଇରେ ଲମ୍ଫ ପ୍ରଦାନ କରିଥିବା ବାମପନ୍ଥୀ ନେତା କହ୍ନେୟା କୁମାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଧରିଛନ୍ତି କଂଗ୍ରେସର ହାତ । ସ୍ବଳ୍ପ ସମୟରେ ବାମପନ୍ଥୀ ରାଜନୀତିରେ ବେଶ ଚର୍ଚ୍ଚା ସାଉଁଟିବାରେ ସକ୍ଷମ ହୋଇଥିଲେ କହ୍ନେୟା । କେବଳ ସେତିକି ନୁହେଁ, ଦଳର ବଡ ବଡ ନେତାଙ୍କ କ୍ଷମତା ସମକକ୍ଷ ଆସନ ବାଛି ନେଇଛନ୍ତି କୁମାର । ଏଭଳିସ୍ଥିତିରେ କହ୍ନେୟାଙ୍କ କଂଗ୍ରେସରେ ସାମିଲ ହେବା ବାମଦଳର ଭବିଷ୍ୟତ ଉପରେ ଛିଡା କରିଛି ବଡ ପ୍ରଶ୍ନଚିହ୍ନ ।

ଏପଟେ ଦିନକୁ ଦିନ ଶକ୍ତିହୀନ ହେବାରେ ଲାଗିଛି ବାମଦଳ । ବାମପନ୍ଥୀ ରାଜନୀତିରେ କାହାରି ପାଇଁ କୌଣସି ସମ୍ଭାବନା ଦୃଷ୍ୟମାନ ହେଉନାହିଁ । ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ସଫା ହୋଇସାରିଛି ଦଳ । ସେପଟେ ତ୍ରିପୁରାରେ ମଧ୍ୟରୁ ବେଦଖଲ ହୋଇସାରିଛି ବାମଦଳ । କେରଳ ହିଁ ଏକ ମାତ୍ର ରାଜ୍ୟ ଭାବରେ ବାମଦଳ ଶିବିରରେ ବଞ୍ଚି ରହିଛି । ଏଭଳିସ୍ଥିତିରେ କୌଣସି ଯୁବ ନେତା ବାମଦଳରେ ନିଜ ଭବିଷ୍ୟତ ଗଠନ ପାଇଁ ମନ ବଳାଉନାହାଁନ୍ତି । ଏଥିପାଇଁ ନୂଆ ବିକଳ୍ପ ଖୋଜିଛନ୍ତି କହ୍ନେୟା କୁମାର ।

ବାମଦଳ ସିପିଆଇ ସହ କହ୍ନେୟା କୁମାରଙ୍କ ସମ୍ପର୍କ ଅତି ପୁରୁଣା । ସିପିଆଇ ଛାତ୍ର ସଙ୍ଗଠନରୁ ରାଜନୀତିର ଇନିଙ୍ଗ୍ସ ଖେଳିବା ଆରମ୍ଭ କରିଥିଲେ ସେ । କହ୍ନେୟା କୁମାର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ)ର ଛାତ୍ର ସଂଗଠନ ଅଖିଳ ଭାରତୀୟ ଛାତ୍ର ପରିଷଦ (AISF)ର ଛାତ୍ର ନେତା ଥିଲେ। ସେ 2015 ରେ ଜେଏନୟୁ (ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ) ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।

ପାଟନାରେ ପଢୁଥିବା ସମୟରେ କହ୍ନେୟା ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନର ସଦସ୍ୟ ହୋଇଥିଲେ। ପାଟନାରେ ସ୍ନାତକୋତ୍ତର ସମାପ୍ତ କରିବା ପରେ ଆଫ୍ରିକୀୟ ଷ୍ଟଡିଜରେ ପିଏଚଡି ପାଇଁ ଜେଏନୟୁ (ଦିଲ୍ଲୀ)ରେ ଆଡମିଶନ ନେଇଥିଲେ। 2015ରେ, କହ୍ନେୟା କୁମାର ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନର ପ୍ରଥମ ସଦସ୍ୟ ହୋଇଥିଲେ ଯିଏକି ଜେଏନୟୁରେ ଛାତ୍ର ସଂଗଠନର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ସେ ଏହି ପଦ ପାଇଁ AISA, ABVP, SFI ଏବଂ NSUIର ସଦସ୍ୟମାନଙ୍କୁ ପରାସ୍ତ କରିଥିଲେ ।

କହ୍ନେୟା କୁମାର ସେବେ ଚର୍ଚ୍ଚାକୁ ଆସିଥିଲେ, ଯେବେ ତାଙ୍କ ବିରୁଦ୍ଧରେ ଲାଗିଥିଲା ଦେଶଦ୍ରୋହର ଅଭିଯୋଗ । ଜେଏନୟୁରେ ସେ ଦେଶବିରୋଧୀ ସ୍ଲୋଗାନ ଦେଇଥିବା ହୋଇଥିଲା ଅଭିଯୋଗ । ଏହି ମାମଲାରେ ତାଙ୍କୁ ଜେଲ ମଧ୍ୟ ଯିବାକୁପଡିଥିଲା । ଫେବୃଆରୀ 2016, ଜେଏନୟୁରେ ସଂସଦ ଆକ୍ରମଣ ଦୋଷୀ ମହମ୍ମଦ ଅଫଜଲ ଗୁରୁ ଫାଶୀ ବିରୋଧରେ ଚାଲିଥିବା ଛାତ୍ର ସମାବେଶରେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିବା ଅଭିଯୋଗରେ ରୁଜୁ ହୋଇଥିଲା ଦେଶଦ୍ରୋହ ମାମଲା । ଏହି ମାମଲାରେ କହ୍ନେୟା କୁମାରଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ହେଲେ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଖଲାସ କରିଦେଇଥିଲେ ।

ଗୋଟିଏ ପକ୍ଷେ ବିଜେପି ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏହି ମାମଲାକୁ ନେଇ କହ୍ନେୟାଙ୍କୁ ଘେରିଥିଲାବେଳେ ମୋଦି ବିରୋଧୀ ଚେହେରା ଭାବରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ କୁମାର । ୨୦୧୯ରେ ସିପିଆଇ ଟିକଟରୁ ବିହାରର ବେଗୁସରାଇ ଲୋକସଭା ଆଶନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ କହ୍ନେୟା । ହେଲେ ଭାରତୀୟ ଜନତା ପାର୍ଟିର ଗିରିରାଜ ସିଂହଙ୍କଠାରୁ ମାତ ଖାଇଥିଲେ କହ୍ନେୟା କୁମାର ।

କହ୍ନେୟା ଯଦିଓ ଦେଶର ରାଜନୀତିରେ ସେତେଟା ଅନୁଭବୀ ନହଁନ୍ତି, ତଥାପି ତାଙ୍କୁ ଜଣେ ଉତ୍ତମ ବକ୍ତା ଦୃଷ୍ଟିରେ ଦେଖାଯାଇପାରେ । ଏଭଳିସ୍ଥିତିରେ ବାମଦଳରେ ତାଙ୍କ କ୍ଷମତା ବଢିଥିଲା । ବାମଦଳର ଭବିଷ୍ୟତ ରୂପେ ତାଙ୍କୁ ଦେଖାଯାଉଥିଲା । ହେଲେ କହ୍ନେୟା କୁମାର କଂଗ୍ରେସ କ୍ୟାମ୍ପରେ ସାମିଲ ହେବା ବାମପନ୍ଥୀ ରାଜନୀତିରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ମନେ କରୁଛନ୍ତି ।

ଏପଟେ ବାମଦଳର ଯୁବ ନେତାଙ୍କୁ ଏକ ବିକଳ୍ପ ଭାବେ ଦେଖୁଛି ଦୁର୍ବଳ ହୋଇପଡିଥିବା କଂଗ୍ରେସ । ତେବେ ଏଭଳିସ୍ଥିତିରେ କହ୍ନେୟା କଂଗ୍ରେସ ପାଇଁ କୌଣସି ମୋହରାଠାରୁ କମ ନୁହଁନ୍ତି । ହେଲେ କହ୍ନେୟାଙ୍କୁ କେଉଁ ପରିସ୍ଥିତିର ସାମ୍ନା କରିବାକୁ ତାହା ହୁଏତ ଏବେଠୁ ଆକଳନ କରିବା କଷ୍ଟ । ଆଗାମୀ ଦିନରେ କେରଳରେ ବାମଦଳ ପ୍ରାର୍ଥୀଙ୍କ ବିରୋଧରେ ଯେ ତାଙ୍କୁ ପ୍ରଚାର କରିବାକୁ ପଡିପାରେ, ଏକଥାକୁ ଏଡାଇ ଦିଆଯାଇପାରିବ ନାହିଁ । ତେବେ କଂଗ୍ରେସର ହାତ ଧରିବା କହ୍ନେୟାଙ୍କୁ ଅଡୁଆରେ ପକାଇବ ନାଁ ବାମଦଳର ଭବିଷ୍ୟତକୁ ଦିଶାହୀନ କରିବ ତାହା ଆଗାମୀ ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 28, 2021, 10:59 PM IST

ABOUT THE AUTHOR

...view details