ହାଇଦ୍ରାବାଦ: ଆମ ଦେଶ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ରାତିପାହିଲେ ଏକା ସାଙ୍ଗରେ ପୂଜା ପାଆନ୍ତି ରାମ, ଯୀଶୁ, ଆହ୍ଲା । ଆଉ ପ୍ରତିଟି ଧର୍ମର ପର୍ବ ପର୍ବାଣିକୁ ଏକାଠି ପାଳନ କରିଥାନ୍ତି ସବୁଧର୍ମର ଲୋକେ । ଆଜି ମଧ୍ୟ ପ୍ରଭୁ ଯୀଶୁଙ୍କ ଜନ୍ମ ଅବସର ତଥା ବଡଦିନରେ ମଧ୍ୟ ସବୁଠି ପାଳନ ହେଉଛି ଖ୍ରୀଷ୍ଟମାସ(Merry Christmas) । ଖ୍ରୀଷ୍ଟାବଲମ୍ବୀଙ୍କ ପାଇଁ ଏହା ଏକ ବଡ ପର୍ବ ହୋଇଥିଲେ ମଧ୍ୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତବାସୀ ପାଳନ କରୁଛନ୍ତି ଖ୍ରୀଷ୍ଟମାସ । ଏଥିପାଇଁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜେଇ ହୋଇଛି ବିଭିନ୍ନ ଚର୍ଚ୍ଚ । ବିଶେଷ କରି ପିଲାମାନେ ଏହି ଦିନକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ।
କାରଣ ଏହି ଦିନରେ ପିଲାମାନେ ନାଲି ରଙ୍ଗର ସାଣ୍ଟା କ୍ଲଜ ପିନ୍ଧିଥାନ୍ତି । ଖ୍ରୀଷ୍ଟମାସ ଟ୍ରୀ(ଗଛ)କୁ ଘରକୁ ଆଣିଥାନ୍ତି ଲୋକେ ଏବଂ ବିଭିନ୍ନ ଆଲୋକମାଳାରେ ସୁସଜ୍ଜିତ କରିଥାନ୍ତି । ଏହି ବୃକ୍ଷର ବିଶେଷତ୍ତ୍ବ ମଧ୍ୟ ରହିଛି । ଖ୍ରୀଷ୍ଟମାସ ଟ୍ରୀକୁ ଶୁଭ ବୋଲି ଅନେକ ମାନିଥାନ୍ତି । ସେହିପରି ହାପି ଖ୍ରୀଷ୍ଟମାସ ବଦଳରେ ମେରୀ ଖ୍ରୀଷ୍ଟମାସର ବିଶେଷତ୍ତ୍ବ ରହିଛି । ସବୁ ପର୍ବ ପର୍ବାଣିରେ ହାପି କୁହାଯାଉ ଥିବାବେଳେ ଖ୍ରୀଷ୍ଟମାସରେ ମେରୀ ବୋଲି କୁହାଯାଏ । କାରଣ ମେରୀର ଅର୍ଥ ଆନନ୍ଦିତ ବା ଖୁସି । ଏହା ଜର୍ମାନିକ୍ ଏବଂ ଓଲ୍ଡ ଇଂଲିଶକୁ ମିଶାଇ ତିଆରି ହୋଇଛି ।