କେ. ପ୍ରବୀଣ କୁମାର
ଗତ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧକି କେରଳ ରାଜଧାନୀ ଥିରୁଅନନ୍ତପୁରମରେ ଲୋକସେବା ଆୟୋଗ-ପିଏସସି ର୍ୟାଙ୍କଲିଷ୍ଟ ହୋଲଡରଙ୍କ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ର୍ୟାଙ୍କ୍ ଲିଷ୍ଟର ବୈଧତା ବୃଦ୍ଧି କରିବା ଦାବିରେ ଦୁଇ ପ୍ରାର୍ଥୀ ଆତ୍ମାହୂତି ଦେବା ପାଇଁ ବି ଉଦ୍ୟମ କରିଥିଲେ । କୋଭିଡ ମହାମାରୀ ଜନିତ ଅସୁବିଧା ଦୃଷ୍ଟିରୁ ରାଜ୍ୟ କ୍ୟାବିନେଟ ବର୍ତ୍ତମାନର ପିଏସସି ର୍ୟାଙ୍କ ଲିଷ୍ଟ ବୈଧତା ଆଉ 6 ମାସ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ପ୍ରାର୍ଥୀମାନେ ଏଥିରେ ସନ୍ତୁଷ୍ଟ ନୁହନ୍ତି । ସେମାନେ ବିକ୍ଷୋଭ ଜାରି ରଖିଛନ୍ତି । ଆଉ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ମଧ୍ୟ ସେମାନଙ୍କୁ ସମର୍ଥନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପି. ବିଜୟନ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଚାଲିଥିବା ବିଚାରବିମର୍ଷ ବେଳେ ସ୍ପଷ୍ଟ କରିଛନ୍ତି ଯେ, ମାନବିକ ଦୃଷ୍ଟିକୋଣକୁ ସରକାରଙ୍କୁ ବର୍ଷ ବର୍ଷ ଧରି ସହାୟତା ଯୋଗାଇ ଆସିଥିବା ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ସ୍ଥାୟୀ କରାଯାଇଛି । ଏହି ପଦକ୍ଷେପ କୌଣସି ପ୍ରକାରେ ପିଏସସି ର୍ୟାଙ୍କ ଲିଷ୍ଟ ହୋଲଡରଙ୍କ ଭବିଷ୍ୟତକୁ ପ୍ରଭାବିତ କରିବା ନାହିଁ ବୋଲି ଆଶ୍ବାସନା ଦେଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଏହି ଆଶ୍ବାସନାରେ ଶାନ୍ତ ନ ପଡି ପ୍ରାର୍ଥୀମାନେ ଧାରଣା ଜାରି ରଖିଛନ୍ତି, ଯାହା କି ଶାସକ ଏଲଡିଏଫ ପାଇଁ ବଡ ଝଟକା ହୋଇଛି । ଏହି ବିକ୍ଷୋଭ ଦ୍ବାରା ଏଲଡିଏଫର କ୍ଷମତା ବଜାୟ ସ୍ବପ୍ନ ଧୂଳିସାତ ହୋଇପାରେ । ସେପଟେ ଆଗାମୀ ନିର୍ବାଚନ ପାଇଁ ସାବରିମାଳାକୁ ଛାଡିଦେଲେ ଆଉ କେଉଁ ସଠିକ ପ୍ରସଙ୍ଗ ଖୋଜି ପାଉ ନ ଥିବା ବିରୋଧୀ ୟୁଡିଏଫକୁ ଏକ ମଉକା ମିଳିଯାଇଛି ।
ଏଲଡିଏଫର ଏହି ପଛଦ୍ବାର ନିଯୁକ୍ତିକୁ ପ୍ରମୁଖ ନିର୍ବାଚନୀ ଇସ୍ୟୁ କରିବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ । ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଯୁବ କଂଗ୍ରେସ, କେଏସୟୁ , ୟୁଥ ଲିଗ୍ ଓ ଏମଏସଏଫ ବିକ୍ଷୋଭରେ ସାମିଲ ହୋଇଛନ୍ତି । ସେଣ୍ଟର ଫର୍ ଡେଭଲେପମେଣ୍ଟ ଅଫ ଇମେଜିଂ ଟେକ୍ନୋଲୋଜିର 114 କର୍ମଚାରୀଙ୍କ ନିଯୁକ୍ତି ସ୍ଥାୟୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରୁ ବିବାଦ ସୃଷ୍ଟି ହୋଇଛି ।
ଦୂତାବାସ ସୁନା ଚାଲାଣ ମାମଲାରେ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ ସରକାରୀ ଆଇଟି ବିଭାଗରେ ନିଯୁକ୍ତି ପରେ ଘନେଇଥିଲା ବିବାଦ । ସରକାରଙ୍କ ବିରୋଧରେ ପ୍ରିୟା ପ୍ରୀତି ତୋଷଣ ଓ ପଛଦ୍ବାର ବାଟେ ନିଯୁକ୍ତି ଅଭିଯୋଗ ଆସିଲା । ପରେ ସରକାର ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ସ୍ବପ୍ନା ସରକାରଙ୍କ ଦ୍ବାରା ବା ସରକାରୀ ଆଇଟି ବିଭାଗରେ ନିଯୁକ୍ତି ପାଇନାହାନ୍ତି । ଆଇଟି ଡିପାର୍ଟମେଣ୍ଟର କାମ ତଦାରଖ କରୁଥିବା ଏକ ଆଉଟସୋର୍ସିଂ ଏଜେନ୍ସି ତାଙ୍କୁ ନିଯୁକ୍ତି ଦେଇଥିଲା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।
କିନ୍ତୁ ସୁନା ଚାଲାଣ ମାମଲାରେ ଗିରଫ ହୋଇଥିବା ପୂର୍ବତନ ପ୍ରମୁଖ ଶାସନ ସଚିବ ଏମ. ଶିବଶଙ୍କରଙ୍କ ସହ ସ୍ବପ୍ନାଙ୍କ ଘନିଷ୍ଠ ସମ୍ପର୍କ ଥିବା ଜଣାପଡିଲା ପରେ ବିଭିନ୍ନ ସରକାରୀ ବିଭାଗରେ ଅସ୍ଥାୟୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହେଲା । ନିଆଁରେ ଘିଅ ଢାଳିବା ଭଳି ଲିକ୍ ହୋଇଥିବା ଦୁଇଟି ଅଡିଓ ଟେପ୍ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ବଢାଇଛି । ଅଡିଓ ଟେପ୍ରେ ସୋଲାର ମାମଲା ଅଭିଯୁକ୍ତ ସରିତା ନାୟାର ଭଳି ଏକ କଣ୍ଠସ୍ବର ରହିଛି ।