ଜୟପୁର(ରାଜସ୍ଥାନ): ଜାତୀୟ ସ୍ତରରେ ଓଡ଼ିଆଙ୍କ ଦବଦବା ବୃଦ୍ଧି ପାଉଥିବା ବେଳେ ଆଉ ଜଣେ ଓଡ଼ିଆ ପୁଅଙ୍କୁ ମିଳିଛି ଗୁରୁ ଦାୟିତ୍ବ । ଓଡ଼ିଆ ଆଇପିଏସ ଅଧିକାରୀ ଉତ୍କଳ ରଞ୍ଜନ ସାହୁ ହେଲେ ରାଜସ୍ଥାନର ନୂଆ ଡିଜିପି । ସୂଚନା ଅନୁସାରେ, ପୂର୍ବତନ ଡିଜିପି ଉମେଶ ମିଶ୍ରା ସ୍ବେଚ୍ଛାକୃତ ଭାବେ ଅବସର ନେବା ପରେ ଉତ୍କଳ ରଞ୍ଜନ ସାହୁଙ୍କୁ ଏହି ଦାୟିତ୍ବ ଦିଆଯାଇଛି ।
ସୂଚନା ଅନୁସାରେ, ଉମେଶ ମିଶ୍ରାଙ୍କ କାର୍ଯ୍ୟକାଳ ଆହୁରି ବର୍ଷେ ରହିଥିଲେ ହେଁ ସେ VRS ପାଇଁ ଆବେଦନ କରିଥିଲେ । ଏହା ଉପରେ ମଞ୍ଜୁରୀ ମଧ୍ୟ ଦିଆଯାଇଥିଲା । 2022 ମସିହା ଅକ୍ଟୋବର 27 ତାରିଖରେ ତାଙ୍କୁ ଡିଜିପି ଭାବେ ନିଯୁକ୍ତି କରାଯାଇଥିଲା । ଅଶୋକ ଗେହେଲଟଙ୍କ ପ୍ରିୟ ଅଧିକାରୀଙ୍କ ମଧ୍ୟରେ ଉମେଶ ମିଶ୍ରାଙ୍କୁ ମଧ୍ୟ ବିବେଚନା କରାଯାଏ । ରିପୋର୍ଟ ଅନୁସାରେ, ରାଜସ୍ଥାନ ଡିଜିପି ଭାବେ ଉତ୍କଳ ରଞ୍ଜନ ସାହୁଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ବେଳେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେ ହୋମଗାର୍ଡ ଡିଜିପି ଭାବେ କାର୍ଯ୍ୟ ଜାରି ରଖିବେ ।
1988 ବ୍ୟାଚର ରାଜସ୍ଥାନ କ୍ୟାଡର୍ର ଆଇପିଏସ ଅଧିକାରୀ ହେଉଛନ୍ତି ଉତ୍କଳ ରଞ୍ଜନ ସାହୁ । ସେ ଜଣେ ଓଡିଆ ହୋଇଥିବା ବେଳେ 1964 ମସିହା ଜୁନ 20 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଜିଓଲୋଜିରେ ଏମଟେକ ଡିଗ୍ରୀ ହାସଲ କରିଥିବା ବେଳେ ବର୍ତ୍ତମାନ ରାଜସ୍ଥାନର ହୋମ ଡିଫେନ୍ସର ଡିଜି ଭାବରେ କାର୍ଯ୍ୟ ତୁଲାଉଛନ୍ତି । ଏହା ପୂର୍ବରୁ ସେ 1991 ମସିହାରେ ଯୋଧପୁର ଇଷ୍ଟରେ ସହକାରୀ ଏସପି ଭାବେ କାର୍ଯ୍ୟ କରିଥିଲେ । ଏହାପରେ ହନୁମାନଗଡ, ସିକାର, ବନସ୍ୱାରା, ଶ୍ରୀଗଙ୍ଗନଗର, ଭିଲୱାରା ସମେତ ରାଜସ୍ଥାନର ଅନେକ ଜିଲ୍ଲାରେ ପୋଲିସ ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି । ଅନ୍ୟପଟେ 2005 ମସିହାରେ ପୋଲିସ ମେଡାଲ ଏବଂ 2017 ମସିହାରେ ରାଷ୍ଟ୍ରପତିଙ୍କ ଠାରୁ ପୋଲିସ ମେଡାଲ ପାଇଥିଲେ ।