ଆଜିକାଲି ଜୀବନର ବିଭିନ୍ନ କ୍ଷେତ୍ରରେ ମହିଳାମାନେ ଦ୍ରୁତ ଅଗ୍ରଗତି ହାସଲ କରୁଛନ୍ତି । ଆଜି ବିଶ୍ବର ଅନେକ ଅଞ୍ଚଳରେ ବଡ଼ ବଡ଼ କମ୍ପାନୀ ବା କର୍ପୋରେଟ୍ ପରିଚାଳନାର ଶୀର୍ଷସ୍ଥାନୀୟ ପଦପଦବୀରେ ମହିଳାମାନଙ୍କ ଉପସ୍ଥିତି ବୃଦ୍ଧି ପାଇଛି । ଅନେକ ମହିଳା ଉଦ୍ୟୋଗ କ୍ଷେତ୍ରରେ ପାଦ ଥାପିଥିବା ବେଳେ ଅନ୍ୟ କେତେଜଣ ସଫଳ କ୍ରୀଡ଼ାବିତ୍ ହୋଇପାରିଛନ୍ତି ।
ମଧ୍ୟମ ବର୍ଗ ଲୋକଙ୍କ କ୍ଷେତ୍ରରେ, ଦ୍ବୈତ ରୋଜଗାର ବା ଉଭୟ ପତିପତ୍ନୀ ଆୟ କରୁଥିବା ପରିବାର ଏକ ଧାରାରେ ପରିଣତ ହୋଇଥିବାରୁ ଅଧିକରୁ ଅଧିକ ମହିଳା ଚାକିରିରେ ପ୍ରବେଶ କରୁଛନ୍ତି ।
ପାରିବାରିକ ଉପାର୍ଜନରେ ମହିଳାମାନଙ୍କ ଯୋଗଦାନ ରହୁଥିବାରୁ, ମୁଁ ଭାବୁଛି, ସେମାନେ ନିଜ ନିଜର ଦୀର୍ଘକାଳୀନ ଲକ୍ଷ୍ୟ ହାସଲ ଏବଂ ଆଶା ପୂରଣ କରିବା ପାଇଁ ଆର୍ଥିକ ବିନିଯୋଗ ସଂପର୍କିତ ଯୋଜନା ଉପରେ ଧ୍ୟାନ ଦେବା ଗୁରୁତ୍ବପୂର୍ଣ୍ଣ ।
ଏଠାରେ ପ୍ରଦତ୍ତ ଚାରିଟି କାରଣରୁ ଆଜିକାଲି ମହିଳାମାନଙ୍କ ପାଇଁ ପୁଞ୍ଜିନିବେଶ ଯୋଜନା ଏକ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ।
1. ଏହା ଆର୍ଥିକ ସ୍ବାଧୀନତା ପ୍ରଦାନ କରେ
ଆର୍ଥିକ ସ୍ବାଧୀନତାର ଅର୍ଥ ହେଉଛି ଅର୍ଥନୀତିରେ ଆତ୍ମନିର୍ଭରଶୀଳତା ହାସଲ କରିବା । ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ସ୍ବପ୍ନ ଦେଖୁଥିବା ପ୍ରତିଟି ମହିଳା ନିଜେ ସ୍ବୟଂସଂପୂର୍ଣ୍ଣ ହେବା କିମ୍ବା ନିଜେ ନିଜର ସମସ୍ତ ଆର୍ଥିକ ଆବଶ୍ୟକତା ପୂରଣର କ୍ଷମତା ହାସଲ କରିବା ଆବଶ୍ୟକ ।
ଏଥିପାଇଁ, ଏକ ସୁନିୟୋଜିତ ଯୋଜନା ଜରିଆରେ ସେ ନିଜର ସଂପଦ ଗଠନ କରିବା ଦରକାର ।
ଆର୍ଥିକ ସ୍ଥିତି, ସମ୍ଭାବ୍ୟ ଓ ସନ୍ନିହିତ ବିପଦ ଏବଂ ସମୟ ସୀମା ପ୍ରସଙ୍ଗକୁ ବିଚାର କରି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ନିଜ ସଂପତ୍ତିର ଅଭିବୃଦ୍ଧି ନିମନ୍ତେ ମହିଳାମାନେ ବିଭିନ୍ନ ପୁଞ୍ଜି ଲଗାଣ ଯୋଜନା ପସନ୍ଦ କରିପାରିବେ ।
ଶୀଘ୍ର ଲାଭ ପାଇବାକୁ ହେଲେ ଶୀଘ୍ର ନିବେଶ ଆରମ୍ଭ କରିବାକୁ ପଡ଼ିବ ବୋଲି ପ୍ରଚଳିତ ନିୟମକୁ ମନେ ରଖିବାକୁ ହେବ ।
2. ଜୀବନର ଲକ୍ଷ୍ୟ ହାସଲ ପାଇଁ ଏହା ମହିଳାମାନଙ୍କୁ ସାହାଯ୍ୟ କରେ
ଆଜିକାଲିର ମହିଳାମାନେ ଉଭୟ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ବିଭିନ୍ନ ଲକ୍ଷ୍ୟ ପୂରଣ କରିବାକୁ ଚାହାଁନ୍ତି । ହୁଏତ ଏହା ବିଶ୍ବ ଭ୍ରମଣରୁ ଆରମ୍ଭ ହୋଇ ନିଜସ୍ବ ବ୍ୟବସାୟ ଆରମ୍ଭ କରିବା ପର୍ଯ୍ୟନ୍ତ ହୋଇପାରେ ।