ଇମ୍ଫାଲ: ଜୁଲାଇରୁ ନିଖୋଜ ଥିବା ୨ ଛାତ୍ରଙ୍କ ହତ୍ୟା ଫଟୋ ଭାଇରାଲ ପରେ ପୁଣିଥରେ ମଣିପୁରରେ ତେଜିଛି ହିଂସା । ଏହାର ପ୍ରତିବାଦରେ ମଙ୍ଗଳବାର ଇମ୍ଫାଲରେ ପୋଲିସ ଓ ଶତାଧିକ ଛାତ୍ର ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ଛାତ୍ରଙ୍କୁ କାବୁ କରିବାକୁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଛି । ଏଥିରେ ୩୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ଫଳରେ ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି ପୁଣି ବିଗୁଡ଼ୁଥିବାର ଦୃଷ୍ଟିରେ ରଖି ରାଜ୍ୟରେ ଇଣ୍ଟରନେଟ ସେବା ସଚଳ ହେବାର ୨ ଦିନ ପରେ ଏହାକୁ ବନ୍ଦ କରାଯାଇଛି । ରାଜ୍ୟରେ ୫ ଦିନ ପାଇଁ ଅର୍ଥାତ୍ ଅକ୍ଟୋବର ୧ ତାରିଖ ଯାଏଁ ଇଣ୍ଟରନେଟ ସେବା ବନ୍ଦ ଘୋଷଣା ହୋଇଛି ।
ସୂଚନା ଅନୁଯାୟୀ, ଜୁଲାଇ ୬ ତାରିଖରୁ ମୈତି ସମ୍ପ୍ରଦାୟର ଜଣେ ନାବାଳିକା ଓ ଜଣେ ନାବାଳକ ଛାତ୍ର ନିଖୋଜ ଥିଲେ । ସୋମବାର ଦିନ ଦୁହିଁଙ୍କର ହତ୍ୟା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ମୃତ ଛାତ୍ର ୨୦ ବର୍ଷୀୟ ଫିଜାମ ହେମଜିତ ଓ ୧୭ ବର୍ଷୀୟ ହିଜାମ ଲିନଥୋଇନଗାମ୍ବୀ ବୋଲି ପରିଚୟ ମିଳିଛି । ଏହାକୁ ନେଇ ଗତକାଲି(ମଙ୍ଗଳବାର) ଇମ୍ଫାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଇମ୍ଫାଲରେ ସ୍କୁଲ୍ ଓ କଲେଜର ଶତାଧିକ ଛାତ୍ର ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରିଥିଲେ । ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଫଳରେ ପୋଲିସ ସହ ମୁହାଁମୁହିଁରୁ ୩୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ଏହି ଉତ୍ତେଜନା ପରେ ସରକାର ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ଘୋଷଣା କରିଛନ୍ତି ।