ହାଇଦ୍ରାବାଦ:ଆଜି ସମଗ୍ର ବିଶ୍ବରେ ପାଳିତ ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ତେବେ ବାର୍ଷିକ ବାଘ ଗଣନାରୁ ଭାରତ ପାଇଁ ଖୁସି ଖବର ମିଳିଛି । ଭାରତର ଜାତୀୟ ପଶୁ ବାଘଙ୍କ ସୁରକ୍ଷା, ବଂଶବୃଦ୍ଧି ଓ ସେମାନଙ୍କ ଅସ୍ଥିତ୍ବ ଦିନେ ଚିନ୍ତାର କାରଣ ହୋଇଥିଲା । ଏକ ସମୟ ଥିଲା ଯେତେବେଳେ ଦେଶରେ ବାଘ ସଂଖ୍ୟା ମାତ୍ର 268 କୁ ଖସି ଆସିଥିଲା । ହେଲେ ଗତବର୍ଷ (2022) ର ବାଘଗଣନା ରିପୋର୍ଟ ଅନୁସାରେ, ଦେଶରେ ବାଘ ସଂଖ୍ୟା ବର୍ତ୍ତମାନ 3167 କୁ ବୃଦ୍ଧି ପାଇଛି । ଯାହା 50 ବର୍ଷ ପୂର୍ବ ସଂଖ୍ୟାର 75% । ଏହାପୂର୍ବରୁ 2018 ରେ ଏହି ସଂଖ୍ୟା 2,967 ଥିଲା । ଅର୍ଥାତ୍ ଗତ ଚାରି ବର୍ଷ ମଧ୍ୟରେ ଦେଶରେ ବାଘଙ୍କ ସଂଖ୍ୟା 200 ବୃଦ୍ଧି ପାଇଛି । ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ମିଳିଛି ।
ଭାରତର ବ୍ୟାଘ୍ର ପ୍ରକଳ୍ପ:-
1973 ମସିହାରେ ପ୍ରାୟ 50 ବର୍ଷ ପୂର୍ବେ ଦେଶରେ ‘ପ୍ରୋଜେକ୍ଟ ଟାଇଗର’ ଆରମ୍ଭ ହୋଇଥିଲା । ସେତେବେଳେ ସମଗ୍ର ଦେଶରେ ବାଘ ସଂଖ୍ୟା ମାତ୍ର 268 ଥିଲା । ତେବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଶିକାର ରୋକିବା, ବାଘଙ୍କୁ ସୁରକ୍ଷା ପ୍ରଦାନ କରିବା, ସେମାନଙ୍କ ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଆଦି ବିଭିନ୍ନ ଦିଗକୁ ନେଇ ଭାରତ ସରକାର ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ମାତ୍ର କିଛି ଦଶନ୍ଧି ମଧ୍ୟରେ ସଫଳ ହେବା ପରି ଦୃଶ୍ୟମାନ ହେବାକୁ ଲାଗିଲା । ଫଳରେ ଦେଶର ଜାତୀୟ ପଶୁ ଭାବେ ମାନ୍ୟତା ପାଇଥିବା ଏହି ସୁନ୍ଦର ବିରଳ ପଶୁଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ସରକାରୀ ରିପୋର୍ଟ ଅନୁଯାୟୀ, 1973 ମସିହାରେ 18,278 ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ବାଘଙ୍କ ପାଇଁ ଅନୁକୂଳ ସଂରକ୍ଷିତ ଜଙ୍ଗଲରେ 9ଟି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ବେଳେ ଏବେ ଏହି ସଂଖ୍ୟା 53 କୁ ବୃଦ୍ଧି ପାଇଛି । ଏବେ ଏହି ପ୍ରକଳ୍ପ ମୋଟ 75,796.83 ବର୍ଗ କି.ମି ସଂରକ୍ଷିତ ଜଙ୍ଗଲକୁ ବୃଦ୍ଧି ପାଇଛି । ଏହା ଦେଶର ଭୌଗୋଳିକ କ୍ଷେତ୍ରର ପ୍ରାୟ 2.3 ପ୍ରତିଶତ ମଧ୍ୟ ।