'ଖୁସି'....ଏହା ଏକ ଏମିତି ଶବ୍ଦ ଯାହାକୁ ମୁଖରେ ଧରିଲା ମାତ୍ରେ ହିଁ ଆପେ ଆପେ ମଣିଷ ଖୁସି ହୋଇଯାଇଥାଏ । ମୁହଁରେ ସଙ୍ଗେ ସଙ୍ଗେ ହସଟି ଝଟକିଯାଏ । ମନ ପ୍ରଫୁଲ୍ଲ ରହିବା ପାଇଁ କିଏ କେତେ କଣ ନ କରେ। ସଦାସର୍ବଦା ହୃଦୟ ଖୁସି ରହିବା ଆବଶ୍ୟକ । ମନ ଖୁସି ରହିଲେ ହିଁ ଯେତେ କଷ୍ଟ କାର୍ଯ୍ୟ ହେଲେ ମଧ୍ୟ ତାହା ସମ୍ଭବ ହୋଇଯାଇଥାଏ । ଦୈନନ୍ଦିନ ଜୀବନ ପାଇଁ ଖାଦ୍ୟ, ବାସଗୃହ ଯେମିତି ଆବଶ୍ୟକ, ଖୁସି ମଧ୍ୟ ସେହିପରି ଅପରିହାର୍ଯ୍ୟ । ହସିଲା ହସିଲା ମୁହଁ ଦେଖିଦେଲେ ଯେପରି ପେଟ ପୁରିଯାଏ । ଆଉ ଏହି ମୁହଁକୁ ସବୁବେଳେ ସମସ୍ତେ ଦେଖିବାକୁ ଚାହାଁନ୍ତି । କାରଣ ଏକ ହସିଲା ମୁହଁ ଦେଖିଦେଲେ ସକରାତ୍ମକ ଭାବନା ମନକୁ ଆସେ । ମନରେ ଯେତେ ଦୁଃଖ ଥିଲେ ବି ଟିକିଏ ହସିଦେଲେ ଯେମିତି ସବୁତକ ଦୁଃଖ କୁଆଡେ ଉଭେଇ ଯାଇଥାଏ । ଆଜି ହେଉଛି ସେହି ଖୁସିର ଦିନ । ସମଗ୍ର ବିଶ୍ବ ମାର୍ଚ୍ଚ 20ରେ 'ଅନ୍ତର୍ଜାତୀୟ ଖୁସି ଦିବସ' ପାଳନ କରୁଛି । ଚାଲନ୍ତୁନା ଜାଣିବା ଏହି ମହାନ ଦିନରେ ଖୁସି ରହିବାର କିଛି ଟିପ୍ସ...
ଯେତେ ପାରୁଛନ୍ତି ହସନ୍ତୁ...
ବ୍ୟସ୍ତବହୁଳ ଜୀବନରେ ହସ ପାଇଁ ଲୋକଙ୍କ ପାଖରେ ସମୟର ଘୋର ଅଭାବ । କାର୍ଯ୍ୟବସ୍ତତା ଯୋଗୁଁ ମଣିଷର ହାବଭାବରେ ଖୁବ୍ ପରିବର୍ତ୍ତନ ଆସିଥାଏ । ଟଙ୍କା ପଛରେ ଦୌଡି ଦୌଡି ସେ ଖୁସି ରହିବାର ସରଳ ଉପାୟକୁ ବହୁତ ପଛରେ ଛାଡି ଦେଇଥାଏ । ଆଉ ସେ ଜାଣି ନ ଥାଏ ଯେ, ଏହା ତାର ଦୁଃଖର କାରଣ । କାରଣ ସମୟ ବଡ ପରିବର୍ତ୍ତନଶୀଳ । ସେ କେବେ କାହା ପାଇଁ ଅପେକ୍ଷା କରି ନଥାଏ । ତେଣୁ ଯେତେ ସମ୍ଭବ, ସେତେ ହସିବାକୁ କିମ୍ବା ଖୁସି ରହିବାକୁ ଚେଷ୍ଟା କରନ୍ତୁ । ଦୁଃଖ ଆପେ ଆପେ ଦୂରେଇ ଯିବ । ମନରେ ଭରି ରହିଥିବା ବିଷାଦ ମଧ୍ୟ ଉଭେଇ ଯିବ । ତେଣିକି ସେ କାର୍ଯ୍ୟକ୍ଷେତ୍ର ହେଉ କିମ୍ବା ଘର । ମଣିଷ ଜୀବନରେ ଦୁଃଖ କ୍ଷଣସ୍ଥାୟୀ । ଏହା ବେଶୀ ଦିନ ରହି ନଥାଏ । ଦୁଃଖର ଅନ୍ଧକାରକୁ କେବଳ ଖୁସିର ଆଲୋକରେ ହିଁ ଆଲୋକିତ କରିହେବ । ବେଶୀ ନ ହେଲେ ମଧ୍ୟ କିଛି ସମୟ ପାଇଁ ନିଜେ ହସାନ୍ତୁ ଅନ୍ୟଙ୍କୁ ହସାନ୍ତୁ । ଏହାଦ୍ବାରା କେବଳ ଯେ ନିଜ ଭିତରେ ସକାରାତ୍ମକ ଚିନ୍ତାଧାରା ଯେ ଉତ୍ପନ୍ନ ହେବ, ତାହା ନୁହେଁ, ନିଜ ଚତୁଃପାର୍ଶ୍ବରେ ଥିବା ପ୍ରତ୍ୟେକ ଲୋକଙ୍କ ମନରେ ଏହି ଭାବ ଉଦ୍ରେକ ହେବ। ତେଣୁ ମୁହଁରେ ସଦାସର୍ବଦା ହସ ବଜାୟ ରଖନ୍ତୁ ।
ହସ ହସ ମୁହଁ ସମସ୍ତଙ୍କ ପ୍ରିୟ...
କଥାରେ ଅଛି ହସିଲା ମୁହଁ ଦେଖିଲେ ଜଣେ ସବୁ କିଛି ଭୁଲିଯାଏ । ମୁହଁରେ କାଣିଚାଏ ମିଠା ହସ ଦେଖିଦେଲେ ଜଣେ ବ୍ୟକ୍ତି ଯେତେ ଦୁଃଖରେ ଥାଉ ନା କାହିଁକି ସେ ସେହି କ୍ଷଣି ସବୁ ପାଶୋରି ପକାଇଥାଏ । ତେଣୁ ହସହସ ମୁହଁ ସବୁବେଳେ ସମସ୍ତଙ୍କର ପ୍ରିୟ । ମନ ଭିତରେ ଯେତେ ଆବିଳତା ଥାଉ ନା କାହିଁକି, ହସ ଟିକକ ସେ ସବୁକୁ ପାଣିଚିଆ କରିଦେଇଥାଏ । ଏହା କେବଳ ଯେ ସେହି ବ୍ୟକ୍ତିକୁ ଆନନ୍ଦ ଦେଇଥାଏ, ତାହା ନୁହେଁ, ତାଙ୍କୁ ଯେ କେହି ବି ଦେଖିଥାଏ, ସେ ସେହି ମୂହୁର୍ତ୍ତରେ ହିଁ ମନ ଭିତରେ ଥିବା ସବୁ ଦୁଃଖକୁ ନିମିଷକେ ମାତ୍ରେ ହିଁ ଭୁଲି ଯାଇଥାଏ । ସମସ୍ତଙ୍କ ଜୀବନରେ ତ ସୁଖ-ଦୁଃଖ ଲାଗି ରହିଥାଏ । ଏହାର ମାନେ ଏହା ନୁହେଁ ଯେ, ଆମେ ପ୍ରତ୍ୟେକ ସମୟରେ ସେହି ଦୁଃଖକୁ ଜାବୁଡି ବସିବା । କେବଳ ତାରି କଥା ହିଁ ଭାବିବା, ଏମିତି କାହିଁକି ହେଲା, କିଏ କଲା । ଏହା ବଦଳରେ ଯଦି ଆମକୁ ଆଞ୍ଜୁଳାଏ ଖୁସି ମିଳିଯାଉଛି, ତାହାକୁ କୋଳେଇ ନେବା କଥା । କାହିଁକିନା ଶୁଖିଲା ମୁହଁ ଦେଖିଲେ ମନଟା ବଡ ବ୍ୟସ୍ତ ବିବ୍ରତ ଲାଗେ । ତେଣିକି ସେ ଯାହାର ହେଉ ନା କାହିଁକି । ମୁହଁରେ ଦୁଃଖର କଳା ବାଦଲ ଘୋଟିଗଲେ ସମସ୍ତେ ପଚାରି ବସନ୍ତି, କଣ ହେଉଛି, କାହିଁକି ମୁହଁ ଶୁଖେଇଛୁ । କିନ୍ତୁ ଜଣଙ୍କର ହସିଲା ମୁହଁ ଦେଖିଲେ କେହି କିଛି ପଚାରିବା ପରିବର୍ତ୍ତେ ଓଲଟା ଖୁସି ହୋଇଯାଆନ୍ତି । ତେଣୁ ଯଥା ସମ୍ଭବ ମୁହଁରେ କାଣିଚାଏ ହସ ରଖନ୍ତୁ । ଦେଖିବେ ଜୀବନରେ ଦୁଃଖ ଆସିବା ପୂର୍ବରୁ ଶହେ ଥର ଭାବିବ ।
ସକାରାତ୍ମକ ଚିନ୍ତାଧାରା:
ମୋ ଦ୍ବାରା ଏଇଟା ହେବନି, ସେଇଟା ହେବନି, ଏଇଟା ମୁଁ କରିପାରିବିନି, ସେଇଟା ମୁଁ କରିପାରିବିନି...ଏମିତି ଭାବିବା ସମ୍ପୂର୍ଣ୍ଣ ଭୁଲ୍ । ଏପରି ନକାରାତ୍ମକ ଚିନ୍ତାଧାରା ଲୋକ କେବେ ବି ନିଜ ଜୀବନରେ ଆଗକୁ ବଢିପାରିବନି । ଏମିତି ଲୋକ କେବେ କାହାକୁ ଖୁସି ଦେଇପାରିବ ନାହିଁ । ଏଭଳି ଲୋକଙ୍କୁ କେହି ପସନ୍ଦ କରନ୍ତି ନାହିଁ । ବିନା ଚେଷ୍ଟାରେ ହିଁ ସବୁ କିଛି ଭାବିନେବା ଭୁଲ୍ । ମନରେ ସକାରାତ୍ମକ ଚିନ୍ତାଧାରା ରଖିବା ନିହାତି ଆବଶ୍ୟକ । ଏହାଦ୍ବାରା ଆପଣଙ୍କ ପାଖାପାଖି ରହୁଥିବା ଲୋକେ ମଧ୍ୟ ସେହି ଚିନ୍ତାଧାରାରେ ନିଜକୁ ରୂପାନ୍ତର କରିପାରିବେ । କିଛି କାର୍ଯ୍ୟ କରିବା ପୂର୍ବରୁ ହାର ମାନିଯିବା ଉଚିତ୍ ନୁହେଁ, ସମୟର ଫଳାଫଳକୁ ଅପେକ୍ଷା କରିବା ଉଚିତ୍ । କେବଳ ନକାରାତ୍ମକ କଥାକୁ ଭାବିଭାବି ନିଜକୁ ଭାଙ୍ଗିନେବା ଉଚିତ୍ ନୁହେଁ । ହୃଦୟରେ ସଦାସର୍ବଦା ସକାରାତ୍ମକ ଚିନ୍ତାଧାରା ରଖନ୍ତୁ ଓ ଖୁସିରେ ରୁହନ୍ତୁ ।
ଖୁସି ବାଣ୍ଟିବା ପାଇଁ ସାଙ୍ଗ ବନାନ୍ତୁ: