ଲକ୍ଷ୍ନୌ: ଆଜି ବାହାରିବ ବହୁ ପ୍ରତୀକ୍ଷିତ ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ । ସକାଳୁ ଆରମ୍ଭ ହୋଇଛି ଭୋଟ ଗଣତି । ବିରୋଧିଙ୍କୁ ପଛରେ ପକାଇ ରାଜ୍ୟରେ ଲିଡ୍ କରୁଛି ବିଜେପି । ଆଉ କେଇ ଘଣ୍ଟା ମଧ୍ୟରେ ଫଳାଫଳର ସ୍ପଷ୍ଟ ଚିତ୍ର ଆସିବାକୁ ଥିବାବେଳେ କିଛି ଜିଲ୍ଲାରେ ହିଂସାକାଣ୍ଡ ଘଟିବା ଆଶଙ୍କା କରି ଆଗୁଆ ସତର୍କ କରାଇଛି ଗୁଇନ୍ଦା ବିଭାଗ । ଆଜି ଆଇବି(IB) ରାଜ୍ୟ ଗୃହ ବିଭାଗ ନିକଟରେ ଏ ସଂକ୍ରାନ୍ତୀୟ ଏକ ରିପୋର୍ଟ ଦାଖଲ କରିଛି । ଉତ୍ତରପ୍ରଦେଶର ୧୭ଟି ଜିଲ୍ଲାରେ ହିଂସା ହେବାର ସମ୍ଭାବନା ଥିବା ରିପୋର୍ଟରେ କୁହାଯାଇଛି ।
ଆଇବି ରିପୋର୍ଟ ଅନୁଯାୟୀ, ବିଶେଷକରି କାନପୁର, ମୋରଦାବାଦ, ସାହାରନପୁର, ସମ୍ଭାଲ, ମିରଟ, ଜୌନପୁର ଏବଂ ଆଜାମଗଡରେ ହିଂସାକାଣ୍ଡର ଅଧିକ ସମ୍ଭାବନା ରହିଛି । ପରାଜିତ ପ୍ରାର୍ଥୀ ଦଳର କାର୍ଯ୍ୟକର୍ତ୍ତାକୁ ଉସକାଇ ହିଂସା ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା କରାଯାଇଛି । ଗୁଇନ୍ଦା ବିଭାଗର ସତର୍କତା ପରେ ୟୁପି ଗୃହ ବିଭାଗ ଏବଂ ପୋଲିସ ଖୁବ୍ ଆଲର୍ଟ ରହିଛନ୍ତି । ସମ୍ପୃକ୍ତ ଅଞ୍ଚଳଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।