ଡେରାଡୁନ: ଭାରତ-ଚୀନ୍ ସୀମାରେ ରହିଛି ଏମିତି ଗାଁ ଯେଉଁଠି ଲୁଣ ଖାଇବା ଏବେ ମହଙ୍ଗା ହୋଇଛି । ଉତ୍ତରାଖଣ୍ଡ ପିଥୋରଗଡ ଜିଲ୍ଲାର ଅନେକ ହିମାଳୟ ଗାଁ ଗୁଡିକରେ ଏବେ ଅତ୍ୟାବଶ୍ୟକ ଜିନିଷ ମୂଲ୍ୟ ଆକାଶଛୁଆଁ ହୋଇଛି । ପୂର୍ବରୁ ଲୁଣ ଦର ୨୦ ଟଙ୍କା ଥିବା ବେଳେ ଏବେ କିଲୋ ପ୍ରତି ୧୩୦ ଟଙ୍କାରେ ବିକ୍ରି ହେଉଛି । ଏଥି ସହ ସୋରିଷ ତେଲ ୨୭୫ରୁ ୩୦୦ ଟଙ୍କା, ଚାଉଳ କିଲୋ ପ୍ରତି ୧୫୦ ଟଙ୍କା , ପିଆଜ କିଲୋ ପ୍ରତି ୧୨୫ ଟଙ୍କା ଓ ଡାଲି କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ ।
ହିମାଳୟ ଅଞ୍ଚଳର ବୁର୍ଫୁ, ଲାସପା, ରାଲମ, ଲିଲମ ଓ ଦଶହରା ଗାଁରେ ଏହି ସବୁ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧି ପାଇଛି । ଏହି ଅଞ୍ଚଳ ଗୁଡିକୁ ସଂଯୋଗ କରିଥିବା ରାସ୍ତା ବନ୍ଦଥିବାରୁ ଅତ୍ୟାବଶ୍ୟକ ଜିନିଷ ଗୁଡିକର ମୂଲ୍ୟ ବୃଦ୍ଧି ପାଇଛି । ସେହିପରି ଉପର ହିମାଳୟରେ ରାସ୍ତା ବନ୍ଦ ଥିବାରୁ ମୁନସିଆରି, ଦାରମା ଓ ଧାରଚୁଲାର ବ୍ୟାସ ଭ୍ୟାଲିରେ ପହଞ୍ଚି ପାରୁନି ଅତ୍ୟାବଶ୍ୟକ ସାମଗ୍ରୀ ।