ଶ୍ରୀନଗର:କାଶ୍ମୀରରେ 77ତମ ସ୍ବାଧୀନତା ଦିବସ ତ୍ରିରଙ୍ଗା ରାଲିରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ହିଂସାତ୍ମକ ନାରା ଲାଗିଥିବା ଅଭିଯୋଗ ହୋଇଛି । ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ଦକ୍ଷିଣପନ୍ଥୀ ସଂଗଠନର ସଦସ୍ୟମାନେ କାଶ୍ମୀରର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ହିଂସାତ୍ମକ ତଥା ଉତ୍ତେଜନା ସୃଷ୍ଟିକାରୀ ନାରାବାଜୀ କରିଥିବା ଅଭିଯୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି କରିଛନ୍ତି । ମୁଫତି ଶୋଭାଯାତ୍ରାର ଏକ ଭିଡିଓ କ୍ଲିପ ଟ୍ବିଟରରେ ସେୟାର କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ।
ଟ୍ବିଟରରେ ଭିଡିଓ ସେୟାର କରିବା ସହ ଉପରାଜ୍ୟପାଳ ମନୋଜ ସିହ୍ନା ଓ କାଶ୍ମୀର ପୋଲିସକୁ ଟ୍ବିଟ କରି ମୁଫତି ଲେଖିଛନ୍ତି, ‘‘କାଶ୍ମୀରରେ ହୋଇଥିବା ତ୍ରିରଙ୍ଗା ଶୋଭାଯାତ୍ରାରେ ଦକ୍ଷିଣପନ୍ଥୀ ସଂଗଠନର ସଦସ୍ୟମାନେ ମୁସଲିମ ନରସଂହାର ନାରା ଦେଉଛନ୍ତି । କିନ୍ତୁ ଘଟଣା ପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାଶ୍ମୀରରେ ଉପରାଜ୍ୟପାଳ ଓ ପ୍ରଶାସନ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିବାରେ ବ୍ୟସ୍ତ ଥିବା ବେଳେ ଅନ୍ୟ ଏକ ଅଂଶରେ ଏପରି ନାରାବାଜୀ ଘଟଣା ଘଟିଛି । ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।’’
ମୁଫତି ପୋଷ୍ଟ କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ବିଶାଳ ତ୍ରିରଙ୍ଗା ଶାଭୋଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ କାର ଓ ବାଇକରେ ଅଂଶଗ୍ରହଣ କରିଥିବା କିଛି ଯୁବକ ଜୟ ଶ୍ରୀରାମ ନାରା ଦେଉଛନ୍ତି । ହାତରେ ତ୍ରିରଙ୍ଗା ପତାକା ସହ ଅନ୍ୟ ଏକ ପତାକା ମଧ୍ୟ ଧରିଛନ୍ତି । ଏଥିରେ କିଛି ନିର୍ଦ୍ଦିଷ୍ଟ ଧର୍ମ ସମ୍ପର୍କରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେବା ପରି ଶୁଣିବାକୁ ମିଳିଛି । ହେଲେ ଏସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମୁଫତିଙ୍କ ପ୍ରଶ୍ନରେ କାଶ୍ମୀର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ସମ୍ନାକୁ ଆସିନି ।