ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ମେ’ ମାସରେ ଦେଶରେ କୋରୋନା ଦ୍ବିତୀୟ ଲହରୀର ସର୍ବାଧିକ ସଂକ୍ରମଣକାରୀ ଚିହ୍ନଟ ହୋଇଥିଲେ । ଏହା ପରେ ଦେଶରେ ଟୀକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ମୋଟ 34 କୋଟି ଟିକା ଦେଇ ବିଶ୍ବରେ ସର୍ବାଧିକ ଟୀକାକରଣ କରିଛି ଭାରତ ।
ଦେଶର କୋରୋନା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ମହାମାରୀ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ସାରା ଦେଶକୁ ଦୋହଲାଇ ଦେଇଛି । ଏହାକୁ ନଜରରେ ରଖି ଦେଶରେ ଟୀକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଦେଶରେ 4 ଟି ଟୀକାକୁ ଅନୁମତି ଦେଇଛନ୍ତି ସରକାର । ଆଜି ପର୍ଯ୍ୟନ୍ତ ଦେଶରେ ମୋଟ 34 କୋଟି ଭ୍ୟାକ୍ସିନ ଲୋକଙ୍କୁ ଦିଆଯାଇଛି ଯାହା ସାରା ବିଶ୍ବରେ ସର୍ବାଧିକ । ଭାରତ ପଛକୁ ଆମେରିକା 32.8 କୋଟି ଟୀକାକରଣ କରିଥିବାବେଳେ ଇଂଲଣ୍ଡରେ 7.79 କୋଟି ଡୋଜ ଭ୍ୟାକ୍ସିନ ପ୍ରଦାନ କରାଯାଇଛି ।