ଭୋପାଲ:ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଏବଂ ମୁମ୍ବାଇ ପୋଲିସର ସୂଚନା ଆଧାରରେ ଇନ୍ଦୋରରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ସରଫରାଜକୁ ନେଇ ବଡ ତଥ୍ୟ ପୋଲିସ ହାତରେ ଲାଗିଛି । ସନ୍ଦିଗ୍ଧ ଆତଙ୍କୀକୁ ପଚରାଉଚରା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟ କରିଦେଇଛି । ଗିରଫ ସନ୍ଦିଗ୍ଧ ନିକଟରୁ ହଂକଂ ପାସପୋର୍ଟ ମିଳିଛି । ଏହା ସହ ମିଳିଥିବା ପାସପୋର୍ଟରେ ଚାଇନା ଏବଂ ହଂକଂରେ ଇମିଗ୍ରେସନର ରେକର୍ଡ ମଧ୍ୟ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ପଚରାଉଚରା ବେଳେ ଆତଙ୍କୀ ମୋଟ ୪ଟି ବିବାହ କରିଥିବା ଜଣାପଡିଛି । ସରଫରାଜ କେବଳ ଭାରତରେ ନୁହେଁ ଚୀନ୍ ଏବଂ ହଂକଂରେ ମୋଟ ଚାରୋଟି ବିବାହ କରିଛି ।
ବିଶେଷ କଥା ହେଉଛି ସରଫରାଜ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛି । ହେଲେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେ ଏସବୁ କରିବାରେ ସଫଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ତ୍ତମାନ ତାର ଗିରଫଦାରୀ ପରେ ତାର ପରିବାରର ଆତଙ୍କବାଦୀ ପୃଷ୍ଠଭୂମି ରହିଛି କି ନାହିଁ ସେ ସମ୍ପର୍କରେ ତଦନ୍ତକାରୀ ସଂସ୍ଥା ତଦନ୍ତ ଜାରି ରଖିଛି । ସେହିପରି ସେ ଭାରତ ସମେତ ବିଭିନ୍ନ ଦେଶରେ କରିଥିବା ବିବାହ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ପ୍ରୟାସ କରୁଛି ପୋଲିସ । ସମ୍ପୃକ୍ତ ମହିଳାମାନଙ୍କୁ ମଧ୍ୟ ଜେରା କରାଯିବା ନେଇ ସୂଚନା ରହିଛି ।