ଜୟପୁର:ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଯାତ୍ରୀଙ୍କ ଅସୁସ୍ଥତା କାରଣରୁ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଅବତରଣ କରିଥିବା ଜଣାପଡିଛି । ଇଣ୍ଡିଗୋ ଫ୍ଲାଇଟ୍ 6E-1423 ରବିବାର ରାତି 9ଟା 45ମିନିଟ ସମୟରେ ଲ୍ୟାଣ୍ଡିଂ କରିଥିଲା । ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ହୃଦଘାତରେ ଶିକାର ହେବା ନେଇ ଖବର ପାଇଥିଲେ ପାଇଲଟ ଏବଂ କ୍ରୁ ସଦସ୍ୟ । ତେଣୁ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତୁରନ୍ତ ଜୟପୁର ଇଣ୍ଟର ନ୍ୟାସନାଲ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା ଏହି ଇଣ୍ଡିଗୋ ବିମାନ।
ସୂଚନା ଅନୁସାରେ, ଏହି ବିମାନଟି ଲକ୍ଷ୍ନୌରୁ ଶାରଜାହ ଅଭିମୁଖେ ଯାତ୍ରା କରୁଥିଲା । ସେହି ସମୟରେ ହଠାତ୍ ଜଣେ ବ୍ୟକ୍ତି ହୃଦଘାତର ଶିକାର ହୋଇଥିଲେ । ଯାତ୍ରୀ ଜଣକ ଗୁରୁତର ହେବାରୁ ବିମାନ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ଯାତ୍ରୀଙ୍କର ଏଭଳି ଅବସ୍ଥା ଦେଖି ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଘଟଣା ସମ୍ପର୍କରେ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରକୁ ତୁରନ୍ତ ଅବଗତ କରାଇଥିଲେ କ୍ରୁ ମେମ୍ବର୍ସ । ଜୟପୁର ଏୟାରପୋର୍ଟର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ଅଧିକାରୀମାନେ ବିମାନଟିକୁ ଜରୁରୀ ଅବତରଣ ପାଇଁ ଅନୁମତି ପ୍ରଦାନ କରିଥିଲେ ।
ସେହିପରି ଗତ 4 ତାରିଖରେ ଇଣ୍ଡିଗୋ ଏୟାରସାଇନ୍ସର ଏକ ବିମାନ ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ପାଟନାରୁ ଦିଲ୍ଲୀ ଉଡ଼ାଣ ଭରିବା ପରେ ବିମାନଟିର ଇଞ୍ଜିନ ଫେଲ୍ ହୋଇଯାଇଥିଲା । ପାଇଲଟ ତୁରନ୍ତ ଏୟାରପୋର୍ଟର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ସହ ଯୋଗାଯୋଗ କରି ଏମରଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ ।