ନୂଆଦିଲ୍ଲୀ:ବିମାନ ଯାତ୍ରା ସମୟରେ ମଝି ଆକାଶରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା । କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଜେଡ୍ଡାରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ କରାଚିରେ ମେଡିକାଲ ଏମରଜେନ୍ସି ପାଇଁ ଜରୁରୀ ଅବତରଣ କରିଥିଲା । କିନ୍ତୁ ଅସୁସ୍ଥ ଯାତ୍ରୀଙ୍କ ଚିକିତ୍ସା କରାଯାଇଥିଲେ ସୁଦ୍ଧା ତାଙ୍କ ଜୀବନ ବଞ୍ଚି ପାରିନାହିଁ । ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବିବୃତ୍ତି ଜରି କରି ସୂଚନା ଦିଆଯାଇଛି । ମୃତ ଯାତ୍ରୀଙ୍କ ନାମ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇନାହିଁ ।
ଏହା ମଧ୍ୟ ପଢନ୍ତୁ-ମଝି ଆକାଶରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟ, ମେଲବର୍ଣ୍ଣରେ ଏୟାର ଇଣ୍ଡିଆର ଜରୁରୀ ଅବତରଣ
ଗୁରୁବାର ଇଣ୍ଡିଗୋ 6E 68 ବିମାନ ଜେଡ୍ଡାରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରିଥିଲା । ହଠାତ ମଝି ଆକାଶରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା । ଏନେଇ କ୍ରୁ' ସଦସ୍ୟ ପାଇଲଟଙ୍କୁ ସୂଚନା ଦେବା ପରେ ମେଡିକାଲ ଏମରଜେନ୍ସି ପାଇଁ ସଙ୍ଗେ ସଙ୍ଗେ ହାଇଦ୍ରାବାଦ ପରିବର୍ତ୍ତେ କରାଚି ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା ଇଣ୍ଡିଗୋ ବିମାନ । ଏହାପରେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଡାକ୍ତର ଯାଞ୍ଚ କରିଥିଲେ । କିଛି ସମୟ ପରେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ସମସ୍ତ ଔପଚାରିକତା ପରେ ପରେ ପୁଣି ବିମାନଟି ଉଡ଼ାଣ ଭରି ରାତି 9ଟା 8 ମିନିଟ ସମୟରେ ହାଇଦ୍ରାବାଦରେ ଅବତରଣ କରିଥିଲା । କେଉଁ କାରଣରୁ ଯାତ୍ରୀଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ କରାଯାଇ ନାହିଁ ।