ଗାନ୍ଧୀନଗର: ଗୁଜୁରାଟ ଗାନ୍ଧୀନଗରରେ ଚାଲିଥିବା ଡିଫେନ୍ସ ଏକ୍ପପୋ ୨୦୨୨ (Defence Expo 2022) ଭାରତ ନିର୍ମିତ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନୀ ଅଟେ । ଏହି ପ୍ରଦର୍ଶନୀରେ ଭାରତୀୟ କମ୍ପାନୀ ଅଂଶଗ୍ରହଣ କରୁଥିବାବେଳେ ମେଡ୍ ଇନ ଇଣ୍ଡିଆ ଉପକରଣମାନ ରହିଛି । ଏଥିରେ ପ୍ରଦର୍ଶିତ ଭାରତୀୟ ସେନାର ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟରେ ତ୍ରିଶୁଳ ବନ୍ଧୁକ ଦେଖିବାକୁ ମିଳିଛି । ଏହି ବନ୍ଧୁକ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ । ତ୍ରିଶୁଳ ଏକ ସ୍ବଂୟଚାଳିତ ବନ୍ଧୁକ ଅଟେ, ଯାହାକି ଶତ୍ରୁ ରାଡାରକୁ ଆସିବା ମାତ୍ରେ ଆପେ ଆପେ ତାକୁ ଟାର୍ଗେଟ କରିଥାଏ । ଏହି ଅତ୍ୟାଧୁନିକ ବନ୍ଧୁକକୁ ଏଲଓସିରେ ରଖାଯିବ ।
ଜଣେ ସେନା ଅଧିକାରୀଙ୍କ କହିବା ମୁତାବକ, ତ୍ରିଶୂଳ ଏକ ରୋବୋଟିକ୍ ବନ୍ଧୁକ ଅଟେ । ଏହା ସେନସର ଦ୍ବାରା କାର୍ଯ୍ୟ କରିଥାଏ । ଏହି ବନ୍ଧୁକର ଚାଳନା ପାଇଁ କୌଣସି ଅପରେଟରର ଆବଶ୍ୟକତା ନଥାଏ । ଯଦି କୌଣସି ଶତ୍ରୁ ୩୦୦ ମିଟର ସୀମା ମଧ୍ୟରେ ପ୍ରବେଶ କରେ, ଏଥରୁ ସ୍ବୟଂଚାଳିତ ଭାବେ ଫାୟାରିଂ ହୋଇଥାଏ । ବନ୍ଧୁକ ନିଜେ ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରିଥାଏ । ତ୍ରିଶୂଳର ଅନ୍ୟ ଏକ ବିଶେଷତ୍ବ ହେଉଛି, ଏହା ମଣିଷ, ପଶୁ ପକ୍ଷୀ ଏବଂ ଯାନବାହନ ଇଦ୍ୟାଦି ମଧ୍ୟରେ ପାର୍ଥକ୍ୟ ଜାଣିପାରେ । ଏହାପରେ ହିଁ ଶତ୍ରୁକୁ ଟାର୍ଗେଟ କରିଥାଏ ।