ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀରେ ନିର୍ମାଣ ହେବାକୁ ଯାଉଛି ଦେଶର ସର୍ବବୃହତ୍ ହସ୍ପିଟାଲ । ପ୍ରାୟ 25 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଏହାକୁ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ହାଇଦ୍ରାବାଦରେ ପୂର୍ବରୁ NIMS ଉନ୍ନତମାନର ଚିକିତ୍ସା ଯୋଗାଇ ଆସୁଥିବାବେଳେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ସରକାରଙ୍କ ତରଫରୁ ଆଉ ଏକ ପ୍ରୟାସ କରାଯାଇଛି । ଏହି 2100 ବେଡ୍ ସଂଖ୍ୟା ବିଶିଷ୍ଟ ହସ୍ପିଟାଲରେ ରହିବ 34ଟି ସ୍ପେଶାଲ ଡିପାର୍ଟମେଣ୍ଟ । ଯେଉଁଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇ ପାରିବେ ରୋଗୀ । ଏହି ହସ୍ପିଟାଲର ନିର୍ମାଣ କାର୍ଯ୍ୟ 2 ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ହସ୍ପିଟାଲର ନିର୍ମାଣ ପାଇଁ 1,570 କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି ସରକାର ।
2014ରେ ଆନ୍ଧ୍ରପ୍ରଦେଶଠାରୁ ଅଲଗା ହୋଇ ଏକ ନୂଆ ରାଜ୍ୟ ଭାବେ ମାନ୍ୟତା ପାଇଥିଲା ତେଲେଙ୍ଗାନା । ନୂଆ ରାଜ୍ୟ ଗଠନ ପରଠୁ BRS ସରକାର କ୍ଷମତାରେ ଥିବାବେଳେ ବର୍ତ୍ତମାନ ଦ୍ବିତୀୟ ଟର୍ମରେ ପହଞ୍ଚିଛି । ଏହି ଅବସରରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା 14 ତାରିଖରେ ଇରମଞ୍ଜିଲରେ ନିର୍ମାଣ ହେବାକୁ ଥିବା ହସ୍ପିଟାଲର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ କେସିଆର ।
ତେବେ 9 ବର୍ଷର ଶାସନ କାଳରେ ଅନେକ ଥାନାର ବିଲ୍ଡିଂରୁ ଆରମ୍ଭ କରି ନୂତନ ସଚ୍ଚିବାଳୟ ମଧ୍ୟ ନିର୍ମାଣ ହୋଇଛି । ରାଜଧାନୀ ହାଇଦ୍ରାବାଦରେ NIMS, AIIMS, ଗାନ୍ଧୀ ଏବଂ ଓସମାନିଆ ଭଳି ଅନେକ ବଡ ବଡ଼ ହସ୍ପିଟାଲ ରହିଛି । ଏହି ଅତ୍ୟାଧୁନିକ ତଥା ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ପରେ ହାଇଦ୍ରାବାଦ ଏକ ମେଡିକାଲ୍ ହବରେ ପରିଣତ ହେବ ବୋଲି ମତ ପ୍ରକାଶ ପାଇଛି । 22 ଏକର ଜାଗାରେ ଥିବା NIMSରେ ବର୍ତ୍ତମାନ ବେଡ ସଂଖ୍ୟା 1300 ରହିଛି। ତେବେ ପଞ୍ଜାଗୁଟାରେ NIMS ବ୍ୟତୀତ ଆଉ ଏକ ନୂତନ ହସ୍ପିଟାଲରେ କୋଠା ନିର୍ମାଣ କରୁଛନ୍ତି ସରକାର।