ନୂଆଦିଲ୍ଲୀ:ଚଳିତ ଆର୍ଥିକ ବର୍ଷ (2022-23)ରେ ଅଭିବୃଦ୍ଧି ହାର 7.2 ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଗତ ଆର୍ଥିକ ବର୍ଷରେ ଏହି ହାର 9.1 ପ୍ରତିଶତ ରହିଥିଲା । ସେହିପରି ଆର୍ଥିକ ବର୍ଷ 22-23ର 4ର୍ଥ ତ୍ରୈମାସିକ (ଜାନୁଆରୀ-ମାର୍ଚ୍ଚ) ରେ ଅଭିବୃଦ୍ଧି ହାର 6.1 ପ୍ରତିଶତ ରହଛି । ଯାହାକି ଗତବର୍ଷ ଶେଷ ତଥା ଚତୁର୍ଥ ତ୍ରୈମାସିକରେ 4.1 ପ୍ରତିଶତ ରହିଥିଲା । ଆଜି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଚଳିତ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ପ୍ରାୟ 7 ପ୍ରତିଶତ ରହିବା ନେଇ ଆକଳନ ଦର୍ଶାଇବା ସହ ଏହା ସାମାନ୍ୟ ବଢିବାର ସମ୍ଭାବନା ଥିବ ମଧ୍ୟ ଦର୍ଶାଇଥିଲେ ।
ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି, 2022-23 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ସକଳ ଘରୋଇ ଉତ୍ପାଦ (ଜିଡିପି) 43.62 ଲକ୍ଷ କୋଟି ଅନୁମାନ କରାଯାଇଛି । 2021-22 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଏହି ପରିମାଣ 41.12 ଲକ୍ଷ କୋଟି ରହିଥିଲା । ଚଳିତ ବର୍ଷର ଆନୁପାତିକ ହାରକୁ ଦେଖିଲେ ଅଭିବୃଦ୍ଧି ହାର 6.1 ପ୍ରତିଶତ ରହିଛି । ଏଠାରେ ଉଲ୍ଲେଖନୀୟ କଥା ହେଉଛି, କ୍ରମାଗତ ଦୁଇଟି ତ୍ରୈମାସିକରେ ଜିଡିପିରେ ହ୍ରାସ ପରେ ଚଳିତ ତ୍ରୈମାସିକ (ଜାନୁଆରୀ-ମାର୍ଚ୍ଚ)ରେ ଡିଜିପି ଅଭିବୃଦ୍ଧି ହାର ବୃଦ୍ଧି ପାଇଛି ।