ସିମଲା:ଦେଶରେ ପ୍ରଥମ ଥର ପାଇଁ ବରଫ ଉପରେ ମାରାଥନ ଆୟୋଜନ କରିଛି ହିମାଚଳ ପ୍ରଦେଶ । ଲାହୋଲ ସ୍ପିଟିରେ ମାର୍ଚ୍ଚ ୨୬ରେ ଆୟୋଜିତ ହୋଇଛି ଏହି ପ୍ରତିଯୋଗିତା । ବିଶ୍ବ ପ୍ରସିଦ୍ଧ ଅଟଳ ଟନେଲ ରୋହତାଙ୍ଗ ନିକଟରେ ଏହି ମାରାଥନ ଆୟୋଜିତ ହୋଇଛି । କର୍ଣ୍ଣାଟକର ଶାଶ୍ବତ ପ୍ରଥମ ସ୍ନୋ ମାରାଥନରେ ବିଜୟୀ ହୋଇଛନ୍ତି ।
୪ ଘଣ୍ଟା ୪୧ ମିନିଟରେ ୪୨ କିଲୋମିଟର ଫୁଲ ମାରାଥନରେ ବିଜୟୀ ହୋଇଛନ୍ତି ଶାଶ୍ବତ । ଏହି ମାରାଥନରେ ଭାଗ ନେବା ପାଇଁ ଅନେକ ଦିନ ଆଗରୁ ମନାଲିରେ ପ୍ରସ୍ତୁତି ଆରମ୍ଭ କରିଥିଲେ ଶାଶ୍ବତ । ବରଫ ଅଞ୍ଚଳମାନଙ୍କରେ ଦୌଡ ଅଭ୍ୟାସ କରିଥିଲେ ସେ । ଶାଶ୍ବତ ମନାଲିରେ ରୁହନ୍ତି । ଟ୍ରେକିଂକୁ ଭଲ ପାଆନ୍ତି ଯାହା ତାଙ୍କୁ ଏହି ରେସରେ ଜିତିବାରେ ସାହାଯ୍ୟ କରିଛି । ସେହିପରି ମହିଳା ସ୍ନୋ ମାରାଥନରେ ମନାଲିର ଡୋମଲା ବିଜୟୀ ହୋଇଛନ୍ତି । ୫ ଘଣ୍ଟା ୫ ମିନିଟରେ ୪୨ କିଲୋମିଟର ଦୌଡିଥିଲେ ପାଲଚାନକ ଡୋମଲା ।
୧୦୦ ଲୋକ ଏହି ଗଣଦୌଡରେ ଭାଗ ନେଇଥିଲେ । ରିଚ ଇଣ୍ଡିଆ ସଂସ୍ଥା ଗୋଲ୍ଡ ଡ୍ରପ୍ ଆଡଭେଞ୍ଚର ଲାହୋଲ ସ୍ପିଟି ପ୍ରଶାସନର ସହଯୋଗରେ ଏହି ମାରାଥନ୍ ଆୟୋଜିତ ହୋଇଛି । ମାରାଥନରେ ସେନାର 10 ଜଣ ଅଂଶଗ୍ରହଣକାରୀ, ନୌସେନାର 10 ଜଣ ବ୍ୟତୀତ ଦିଲ୍ଲୀ, ହରିୟାଣା, ପଞ୍ଜାବ, ତାମିଲନାଡୁ, କେରଳ ଏବଂ ସିକିମରୁ ଅଂଶଗ୍ରହଣକାରୀମାନେ ଅଂଶଗ୍ରହଣ କରିଛନ୍ତି । କୋଭିଡ କଟକଣା ହେତୁ ଅନ୍ୟ ଦେଶର ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭାଗ ନେଇ ନାହାଁନ୍ତି ।
ଏହି ମାରାଥନକୁ ୫ଟି ବିଭାଗରେ ବିଭକ୍ତ କରାଯାଇଥିଲା । ୪୨ କିଲୋମିଟକ ଫୁଲ ମାରାଥନ ବ୍ୟତୀତ ୨୧ କିମି ହାଫ ମାରାଥନ, ୧୦ ଏବଂ ୫ କିମିର ଦୌଡ ପ୍ରତିଯୋଗିତା କରାଯାଇଥିଲା । ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ମାରାଥନ ଆୟୋଜିତ ହୋଇଥିଲା । ଏହା ବ୍ୟତୀତ ୧ କିମି ରେସରେ ପିଲା, ମହିଳା, ସାଧାରଣ ଲୋକ ଓ ପର୍ଯ୍ୟଟକମାନେ ଭାଗ ନେଇଥିଲେ ।
ରିଚ ଇଣ୍ଡିଆ ଓ ଗୋଲ୍ଡ ଡ୍ରପ୍ ଆଡଭେଞ୍ଚର ଏହି ସଫଳତା ପୂର୍ବକ ମାରାଥନ ଆୟୋଜନ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲାହୋଲ ସ୍ପିଟି ଡେପୁଟି କମିଶନର ନୀରଜ ଠାକୁର । ଆସନ୍ତା ବର୍ଷମାନଙ୍କରେ ଏହି ମାରାଥନ ଜାରି ରହିବ ବୋଲି ଆଶାବାଦୀ ଅଛନ୍ତି ଡେପୁଟି କମିଶନର ନୀରଜ ଠାକୁର । ଆୟୋଜକ ଗୌରବ ଶିମର ଓ ରାଜେଶ ଚାନ୍ଦ ମଧ୍ୟ ଜିଲ୍ଲା ପ୍ରଶାସନର ସହଯୋଗ ନେଇ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ବର୍ଷ ଏହି କାର୍ଯ୍ୟକ୍ରମ ଏକ ବୃହତ ସ୍ତରରେ ଆୟୋଜିତ ହେବ ଯେଉଁଥିରେ ଅନ୍ତର୍ଜାତୀୟ ରନର୍ସଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ସେମାନେ ନିଶ୍ଚିତ କରିଛନ୍ତି ।
ମୁମ୍ବାଇ, ଦିଲ୍ଲୀ, ଜୟପୁର ସମେତ ଦେଶର ଅନେକ ସହରରେ ମାରାଥନ୍ ଆୟୋଜିତ ହୋଇଥାଏ କିନ୍ତୁ ଏହା ହେଉଛି ଦେଶର ପ୍ରଥମ ସ୍ନୋ ମାରାଥନ୍ ଯେଉଁଠାରେ ଅଂଶଗ୍ରହଣକାରୀମାନେ ବରଫର ଏକ ସିଟ୍ ଉପରେ ଦୌଡିଥିଲେ । ଏହା ପୂର୍ବରୁ ଆଣ୍ଟାର୍କଟିକା, ଋଷ, ଉତ୍ତର ୟୁରୋପର ଦେଶମାନଙ୍କରେ ଏହି ପ୍ରକାରର ମାରାଥନ୍ ଆୟୋଜିତ ହୋଇଥିଲା । ହିମାଚଳପ୍ରଦେଶ 10 ହଜାର ଫୁଟ ଉଚ୍ଚତାରେ ଏକ ଏହି ଗଣଦୌଡ ଆୟୋଜନ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛି ।